ମହୁମାଛି ଆକ୍ରମଣରେ ମହିଳା ମୃତ, ଦୁଇଜଣ ଗୁରୁତର

ଜାଗରରେ ଅଘଟଣ। ପ୍ରଭୁ ଭୋଳାନାଥଙ୍କ ଦର୍ଶନ ପାଇଁ ଯିବା ବେଳେ ମହୁମାଛି ଆକ୍ରମଣରେ ଆଖି ବୁଜିଲେ ମହିଳା। ୨ ଗୁରୁତର।

ସୁନ୍ଦରଗଡ଼: ମନରେ କେତେ ମନସ୍କାମନା ନେଇ ମହାଦେବଙ୍କ ପାଖକୁ ଯାଉଥିଲେ। ମନ୍ଦିରରେ ପହଞ୍ଚି ଭୋଳାନାଥଙ୍କ ଆଗରେ ନିଜ ଦୁଃଖ ଜଣାଇଥାନ୍ତେ। ଆଉ ଜାଗରରେ ପ୍ରଭୁଙ୍କ କୃପା ଲାଭ କରିଥାନ୍ତେ। ହେଲେ ଅଧା ବାଟରେ ଜଗି ବସିଥିଲା ଜମ।

ହଁ ଆଜ୍ଞା ଜାଗରରେ ପୂଜା କରିବା ପାଇଁ ଜଣେ ମହିଳା ତାଙ୍କ ସମ୍ପର୍କୀୟଙ୍କ ସହ ବାଇକ୍ ଯୋଗେ ମନ୍ଦିର ଯାଉଥିଲେ। ହେଲେ ହଠାତ୍ କେଉଁଆଡୁ ମହୁମାଛି ଦଳ ମାଡି ଆସିଲେ। ଆଉ ମହିଳାଙ୍କୁ ଆକ୍ରମଣ କରିବାକୁ ଲାଗିଲେ। ଫଳରେ ମହୁମାଛିଙ୍କ ଦାଉ ସହି ନପାରି ଯନ୍ତ୍ରଣାରେ ଆଖି ବୁଜିଦେଲେ ମହିଳା ଜଣଙ୍କ।

ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରିକେଲା ଥାନା ସୀମା ଅନ୍ତର୍ଗତ ତିଲଡେଗାଁରେ। ମହାଶିବରାତ୍ରି ପାଇଁ ମନ୍ଦିରକୁ ଯାଉଥିବା ଭକ୍ତଙ୍କୁ ଆକ୍ରମଣ କରିଥିଲେ ମହୁମାଛି ଦଳ। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଆଉ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (VIMSAR)କୁ ପଠାଯାଇଛି।