ବଦଳିବ ମେଡିକାଲ ରଙ୍ଗ

ଭୁବନେଶ୍ୱର,୪ା୩: ଏଣିକି ବଦଳିବ ମେଡିକାଲ ରଙ୍ଗ । ବିଶେଷକରି କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ବଡ଼ ମେଡିକାଲର ରଙ୍ଗ ବଦଳିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଶୀଘ୍ର ସମ୍ପୂର୍ଣ୍ଣ ହେବା ପରେ ଏହି ରଙ୍ଗ ବଦଳିବ ।

ଅନ୍ୟପକ୍ଷରେ ବିଜେପିର ଏହି ରଙ୍ଗ ବଦଳାଇବା କାର୍ଯ୍ୟକୁ ନେଇ ବିଜେଡି ବର୍ଷିଛି । ସରକାରୀ କୋଠାର ରଙ୍ଗ ବଦଳାଇବାକୁ ରାଜ୍ୟ ବିଜେପି ସରକାର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ରଙ୍ଗ ବଦଳାଇଲେ ସରକାରଙ୍କ ଚରିତ୍ର ବଦଳେନି । ସୁଶାସନ ଦେଲେ ଲୋକେ ଭଲ ପାଇବେ, ରଙ୍ଗ ବଦଳାଇଲେ ନୁହେଁ । ଅଯଥା ଖର୍ଚ୍ଚ କରାଯାଉଛି ।

ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ବାର୍ତ୍ତା ଦେବାକୁ ଚାହୁଁଛି, ସରକାର ବଦଳିଲେ, ରଙ୍ଗ ବଦଳିବ । କାହିଁକି ରଙ୍ଗ ବଦଳାଯାଉଛି, ତାର ଉତ୍ତର ସରକାର ରଖିବା ଉଚିତ । କାମ ଭଲ ହେବା ଉଚିତ ନାଁ ରଙ୍ଗ ବଦଳାଇବା ଉଚିତ, ତା’ର ଉତ୍ତର ବିଜେପି ଦେଉ ।

ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ନାଁ ବଦଳାଇବା ଓ ରଙ୍ଗ ବଦଳାଇବା ବିଜେପି ସରକାରର ମୁଖ୍ୟ ଏଜେଣ୍ଡା । କିନ୍ତୁ ନବୀନ ପଟ୍ଟନାୟକ କହିଛନ୍ତି ରଙ୍ଗ ବଦଳିଲେ, ବିକାଶର ଇତିହାସ ବଦଳି ପାରିବେନି । ନବୀନଙ୍କ ସଫଳତା ଯାହା ଗତ ୨୪ ବର୍ଷରେ ହୋଇଛି, ତାହା ସେମାନେ ବଦଳାଇ ପାରିବେନି । ବିଜେପି ଯେଉଁ ୨୪ ବର୍ଷ ୨୪ ବର୍ଷ କହୁଛି, ସେମାନେ ବୋଧହୁଏ ଭୁଲି ଯାଇଛନ୍ତି, ୯ ବର୍ଷ ଆମ ସହ ବିଜେପି ଥିଲା ।