‘ଓଡ଼ିଶାରେ ମିଶି ଭୁଲ ହୋଇଗଲା’ ବିଜେପି ବିଧାୟକଙ୍କ ବୟାନକୁ ନେଇ ତେଜିଲା ରାଜନୀତି: ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଲା ବିଜେଡି

ଭୁବନେଶ୍ୱର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ‘ଓଡ଼ିଶା ଗଠନ ସମୟରେ କୋଶଳ ପ୍ରଦେଶ ସେଥିରେ ମିଶିବା ଏକ ଐତିହାସିକ ଭୁଲ’ ବୟାନକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟ ବିରୋଧୀ ଦଳ ବିଜେଡି ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ବଲପୁର ବିଧାୟକଙ୍କ ବୟାନ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି।

ସେ ତାଙ୍କ ସୋସିଆଲ ମିଡିଆରେ ହ୍ୟାଣ୍ଡେଲରେ ଲେଖିଛନ୍ତି ମାନ୍ୟବର ସମ୍ବଲପୁର ବିଧାୟକଙ୍କ ବୟାନ, ‘ଓଡ଼ିଶାରେ ମିଶିବା ଆମର ଗୋଟିଏ ଐତିହାସିକ ଭୁଲ ଥିଲା’ କୁ ନେଇ ଭାରତୀୟ ଜନତା ପାର୍ଟିର ଆଭିମୁଖ୍ଯ କ’ଣ? ଏହି ବୟାନ ଜଣେ କ୍ଯାବିନେଟ ମନ୍ତ୍ରୀଙ୍କ ଉପସ୍ଥିତିରେ କହିବା ଏବଂ ମାନ୍ୟବର ମନ୍ତ୍ରୀ ଚୁପ ରହିବା ଏହି ମନ୍ତବ୍ୟ ପ୍ରତି ସମର୍ଥନ ନୁହେଁ କି? ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଭାରତୀୟ ଜନତା ପାର୍ଟି ଏବଂ ନୂତନ ସରକାରର ଅସଲ ମୁଖା ସମ୍ବଲପୁର ବିଧାୟକ ଖୋଲିଦେଇଛନ୍ତି। ଏପରି ମାନସିକତାକୁ ସରକାରଙ୍କ ନୀରବତା ପ୍ରଚ୍ଛନ୍ନ ସମର୍ଥନ ରହିବା ପରି ମନେହୁଏ। ଏହା କ’ଣ ଭାରତୀୟ ଜନତା ପାର୍ଟିର ଓଡ଼ିଆ ଅସ୍ମିତା? ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ବୟାନ ଉପରେ ନିଜର ଆଭିମୁଖ୍ଯ ସ୍ପଷ୍ଟ କରିବା ଆବଶ୍ୟକ।

ସୂଚନାଯୋଗ୍ୟ ସମ୍ବଲପୁରରେ ବିଜେପି ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମିଶ୍ର କହିଥିଲେ ଯେ ଓଡ଼ିଶା ଗଠନ ସମୟରେ କୋଶଳାର ମିଶ୍ରଣ ଏକ ଭୁଲ ଥିଲା।

ମିଶ୍ରଙ୍କ କହିଥିଲେ, ‘ଉତ୍କଳ’ ମୁଖ୍ୟତଃ କଟକ, ପୁରୀ ଏବଂ ବାଲେଶ୍ୱରକୁ ବୁଝାଏ, ଯେତେବେଳେ ଉତ୍କଳ, କୋଶଳ ଏବଂ କଳିଙ୍ଗର ମିଶ୍ରଣ ଦ୍ୱାରା ଓଡ଼ିଶା ରାଜ୍ୟ ସୃଷ୍ଟି ହୋଇଥିଲା।

ସେ ଅଭିଯୋଗ କରିଥିଲେ ଯେ କୋଶଳ ଏବଂ କଳିଙ୍ଗ ଭଳି ଅଞ୍ଚଳକୁ ଅବହେଳିତ ଏବଂ ଶୋଷିତ କରାଯାଇଛି, ଯେତେବେଳେ କେବଳ ଉତ୍କଳକୁ ସ୍ୱୀକୃତି ମିଳିଛି। ଓଡ଼ିଶାର ସାଂସ୍କୃତିକ ଏବଂ ରାଜନୈତିକ ଆଲୋଚନାରେ କୋଶଳ ଏବଂ କଳିଙ୍ଗର ପ୍ରତିନିଧିତ୍ୱ ଅଭାବ ଉପରେ ମଧ୍ୟ ବରିଷ୍ଠ ବିଜେପି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି।

“ସମ୍ବଲପୁରର ଲୋକମାନେ ଜାଣିବା ଉଚିତ ଯେ ଉତ୍କଳ କଟକ, ପୁରୀ ଏବଂ ବାଲେଶ୍ୱରକୁ ବୁଝାଏ।” “ଉତ୍କଳ, କୋଶଳ ଏବଂ କଳିଙ୍ଗର ମିଶ୍ରଣ ପରେ ଓଡ଼ିଶା ଗଠିତ ହୋଇଥିଲା। ଆମକୁ ଶୋଷଣ କରାଯାଉଛି। ଆମେ ଓଡ଼ିଶା ସହିତ ମିଶ୍ରଣ ପାଇଁ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲୁ। କିନ୍ତୁ ଏହା ଆମର ସବୁଠାରୁ ବଡ଼ ଭୁଲ ଥିଲା,” ମିଶ୍ର କହିଥିଲେ।

ତାଙ୍କ ବକ୍ତବ୍ୟ ରାଜନୈତିକ ବିତର୍କ ସୃଷ୍ଟି କରିଥିବା ବେଳେ, ରାଜ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କ ମନ୍ତବ୍ୟ ଉପରେ କୌଣସି ସରକାରୀ ପ୍ରତିକ୍ରିୟା ଦେଇନାହାଁନ୍ତି।