ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।
‘ବୋଲୋ ଜୁବାନ କେଶରୀ’ ଏବଂ ‘ଦାନେ ଦାନେ ମୈ କେଶର କା ଦମ୍’ ଟ୍ୟାଗଲାଇନ୍ ସହିତ ଆସୁଥିବା ବିଜ୍ଞାପନ ପାଇଁ ଏହି ନୋଟିସ୍ ଜାରି କରାଯାଇଛି। ଏହି ବିଜ୍ଞାପନରେ ଶାହରୁଖ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ଅଭିନୟ କରିଛନ୍ତି । ତେବେ ଏହାକୁ କେନ୍ଦ୍ରକରି ଆବେଦନକାରୀ ଯୋଗେନ୍ଦ୍ର ସିଂହ ତିନି ଜଣ ଅଭିନେତାଙ୍କ ଉପରେ ଅଭିଯୋଗ କରିଛନ୍ତି ।
ଆବେଦନକାରୀ ପାନ ମସଲାରେ କେଶର ଥିବା ନେଇ ମିଛ ବିଜ୍ଞାପନ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଆବେଦନକାରୀ କହିଛନ୍ତି ଯେ ଶାହରୁଖ ଖାନ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ବଡ ତାରକା। ତେଣୁ ଲକ୍ଷ ଲକ୍ଷ ସମର୍ଥକ ସେମାନଙ୍କୁ ଅନୁସରଣ କରନ୍ତି । ଏଭଳି ପରିସ୍ଥିତିରେ ଏଭଳି ମିଥ୍ୟା ପ୍ରଚାର କରିବା ଆଦୌ ଠିକ୍ ନୁହେଁ । ମାର୍ଚ୍ଚ ୧୯ରେ ଏହି ମାମଲାର ଶୁଣାଣି ହେବ । ଅପରପକ୍ଷେ ତିନି ଅଭିନେତାଙ୍କୁ ନିଜ ନିଜର ପକ୍ଷ ରଖିବା ପାଇଁ ୩୦ ଦିନ ସମୟ ଦିଆଯାଇଛି ।
ଆବେଦନକାରୀ ଆହୁରି କହିଛନ୍ତି ପାନ ମସଲା କିମ୍ବା ଗୁଟଖାର ପ୍ୟାକେଟର ମୂଲ୍ୟ ମାତ୍ର ୫ ଟଙ୍କା ହୋଇଥିବା ବେଳେ କେଶରର ମୂଲ୍ୟ କିଲୋ ପିଛା ୪ ଲକ୍ଷ ଟଙ୍କା। ଏଭଳି ପରିସ୍ଥିତିରେ ମାତ୍ର ୫ ଟଙ୍କାରେ କେସର କିପରି ମିଳିପାରିବ? ଯାହାକି ସମ୍ପୂର୍ଣ୍ଣ ମିଥ୍ୟା।
ଅଭିଯୋଗରେ ଆହୁରି କୁହାଯାଇଛି, ଏହି ବିଜ୍ଞାପନ ନିର୍ମାତା କମ୍ପାନୀ ତମାଖୁ ବିକ୍ରୟକରି କୋଟି କୋଟି ଟଙ୍କା ଉପାର୍ଜନ କରୁଛି । ଏଭଳି ଅଭିନେତାଙ୍କୁ ଅନୁସରଣ କରୁଥିବା ସାଧାରଣ ଲୋକେ ଗୁଟଖା ସେବନ କରି କ୍ୟାନ୍ସର ଭଳି ରୋଗ କବଳରେ କବଳିତ ହେଉଛନ୍ତି । ତେଣୁ ଏହି ବିଜ୍ଞାପନକୁ ତୁରନ୍ତ ବନ୍ଦ କରାଯାଉ ।