ପ୍ରଧାନମନ୍ତ୍ରୀ ମୋଦୀ- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏମିତି କହିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ,୧୦ା୩: ଗୋ’ ମାତାର ସୁରକ୍ଷା ତଥା ରାଜନୈତିକ ଦଳର ମନୋଭାବକୁ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସୋମବାର କହିଛନ୍ତି ଯେ, ଯଦି ଗୋ’ ମାତାକୁ ମାତା ଭାବରେ ବିବେଚନା କରାଯାଏ, ତେବେ ଏହା ଆଇନଗତ ଭାବରେ ମାତାର ମାନ୍ୟତା ପାଇବା ଉଚିତ୍।

ଶଙ୍କରାଚାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଉଭୟ ନେତା ନିଜକୁ ମହାନ ଗୋ’ ପ୍ରେମୀ ବୋଲି ଦାବି କରନ୍ତି, କିନ୍ତୁ ଗତ ୧୧ ବର୍ଷର ଆକଳନ ଏକ ଭିନ୍ନ ଚିତ୍ର ଉପସ୍ଥାପନ କରିଛି।

ଗୋ’ ପ୍ରସଙ୍ଗରେ କେବଳ ଭୋଟ୍ ମଗାଯାଏ
ରାଜନୈତିକ ଦଳଗୁଡିକୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ଗୋ’ ହତ୍ୟା ପ୍ରସଙ୍ଗରେ କେବଳ ଭୋଟ୍ ମଗାଯାଏ, କିନ୍ତୁ ସେମାନେ ପ୍ରକୃତରେ ଗୋ’ ମାତା  ସପକ୍ଷରେ ଅଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସେ କହିଛନ୍ତି, “ଆମେ ଚାହୁଁଛୁ ଯେ ସମସ୍ତ ଦଳ ଏହା ସ୍ପଷ୍ଟ କରନ୍ତୁ ଯେ ସେମାନେ ସମର୍ଥନ କରୁଛନ୍ତି କିମ୍ବା ଗୋ’ ମାତା ବିରୋଧରେ ଅଛନ୍ତି। ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ମଧ୍ୟ ଖୋଲାଖୋଲି ଭାବେ ଆଗକୁ ଆସିବା ଉଚିତ୍। ଆମେ ସେମାନଙ୍କ ସଚ୍ଚୋଟତାକୁ ସମ୍ମାନ କରିବୁ।”

ମାର୍ଚ୍ଚ ୧୭ରୁ ସାରା ଦେଶରେ ପ୍ରଦର୍ଶନ
ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ରାଜନୈତିକ ଦଳମାନଙ୍କୁ ଗୋ’ ମାତା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସମୟ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ୩୩ଦିନ ଅପେକ୍ଷାକୁ ୩୩ କୋଟି ଦେବତାଙ୍କ ପ୍ରତୀକ ଭାବରେ ରଖାଯାଇଛି। ଶଙ୍କରାଚାର୍ଯ୍ୟ କହିଛନ୍ତି, ଯଦି ସରକାର ଏବଂ ରାଜନୈତିକ ଦଳ ମାର୍ଚ୍ଚ୧୭ ସୁଦ୍ଧା  ଗୋ’ ମାତା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ ନକରନ୍ତି, ତେବେ ଆମେ ମାର୍ଚ୍ଚ ୧୭ରୁ ସାରା ଦେଶରେ ପ୍ରଦର୍ଶନ ଆରମ୍ଭ କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶରେ ଏହି ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ହେବ ଏବଂ ସେ ନିଜେ ଦିଲ୍ଲୀର ରାମଲୀଲା ମୈଦାନରେ ବସିବେ ।