ବିବାହ ବାର୍ଷିକୀରେ ସ୍ତ୍ରୀକୁ ହତ୍ୟା: କେକ ଖୁଆଇଲା ତା’ ପରେ ମାରିଦେଲା
ଗାଁରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ମାରି ଜେଲରେ ସ୍ୱାମୀ।
ବାଲିପାଟଣା: ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା ନରିଶୋ ଚଣ୍ଡୀପଡ଼ାରେ ଘଟିଥିବା ଏକ ଅଭାବନୀୟ ଘଟଣା; ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା । ବାଲିପାଟଣା ପୋଲିସ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ।
ଯଶୋବନ୍ତ ପ୍ରଧାନ
ଖୁସିରେ ପାଳିଲେ: ବିବାହର ପ୍ରଥମ ବାର୍ଷିକୀ ବେଶ୍ ଖୁସିବାସିରେ ପାଳିଲେ। କେକ୍ କାଟିବା ସହ ଭୋଜିଭାତ କରି ଖୁସି ମନାଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ମହିଳାଙ୍କ ମୃତ୍ୟୁ ହୋଇଗଲା। ସେ ରଶି ଲାଗାଇ ଝୁଲି ଆତ୍ମହତ୍ୟା କଲେ ବୋଲି ଶାଶୂଘର ଲୋକେ କହିଲେ। କିନ୍ତୁ ବାପଘର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। ସେମାନେ ହତ୍ୟା ଅଭିଯୋଗ ଆଣିଲେ। ମୃତ ମହିଳା ହେଲେ ଯଶୋବନ୍ତ ପ୍ରଧାନଙ୍କ ସ୍ତ୍ରୀ ସ୍ବାଗତିକା ସ୍ବାଇଁ।
ଲକ୍ଷାଧିକ ଜିନିଷ: ନିମାପଡ଼ା ଥାନା ମାହାଳ ଗ୍ରାମର ସର୍ବେଶ୍ୱର ସ୍ବାଇଁଙ୍କ ଝିଅ ସ୍ୱାଗତିକା ନରିଶୋ ଚଣ୍ଡୀପଡ଼ା ଗ୍ରାମର ଟୁକୁଆ ପ୍ରଧାନଙ୍କ ପୁଅ ଯଶୋବନ୍ତକୁ ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଝିଅଘର ପକ୍ଷରୁ ଯୌତୁକ ବାବଦରେ ପ୍ରାୟ ୧୫ ଲକ୍ଷ ଟଙ୍କାର ବିଭିନ୍ନ ଜିନିଷପତ୍ର ଦିଆଯାଇଥିଲା। କିନ୍ତୁ ବିବାହର କିଛି ମାସ ପରେ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ସ୍ବାଗତିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।
ଯୌତୁକ ମାଗୁଥିଲେ: ଅନେକ ସମୟରେ ଯଶୋବନ୍ତ ମାଡ଼ମାରି ସ୍ୱାଗତିକାଙ୍କୁ ବାପଘରେ ଛାଡ଼ି ଦେଇଥିଲା। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା ଏବଂ ସ୍ୱାଗତିକାଙ୍କୁ ଶାଶୂଘର ଲୋକେ ଫେରାଇଆଣିଥିଲେ। ଗତକାଲି ରାତିରେ ସେମାନେ ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାଗତିକାଙ୍କ ବାପଘର ଲୋକେ ବି ସାମିଲ ହୋଇଥିଲେ। ଭୋଜି ସରିବା ପରେ ସ୍ବାଗତିକାଙ୍କ ବାପା ଓ ଭାଇ ନିମାପଡ଼ା ଫେରିଯାଇଥିଲେ।
ମିଳିଲା ମୃତ୍ୟୁ ଖବର: କିନ୍ତୁ ବିଳମ୍ବିତ ରାତିରେ ଯଶୋବନ୍ତଙ୍କ ପଡ଼ୋଶୀ ଘର ଲୋକେ ସ୍ବାଗତିକାଙ୍କ ଭାଇଙ୍କୁ ଫୋନ୍ କରି ମୃତ୍ୟୁ ଖବର ଦେଇଥିଲେ। ତୁରନ୍ତ ସ୍ବାଗତିକାଙ୍କ ବାପା ଓ ଭାଇ ଚଣ୍ଡୀପଡ଼ାରେ ପହଞ୍ଚିଥିଲେ। ସେତେବେଳକୁ ସ୍ବାଗତିକାଙ୍କ ମୃତଦେହ ଚଟାଣରେ ପଡ଼ିରହିଥିଲା। ସେ ଫ୍ୟାନରେ ଝୁଲି ପଡ଼ିଥିଲେ ବୋଲି ଶାଶୂଘର ଲୋକେ କହିଥିଲେ। କିନ୍ତୁ ସ୍ବାଗତିକାଙ୍କ ବାପା ତୁରନ୍ତ ବାଲିପାଟଣା ଥାନାକୁ ଜଣାଇଥିଲେ ଏବଂ ପୁଲିସ ମୃତଦେହ ଜବତ କରିଥିଲା।