ଆସନ୍ତା ୫ ଦିନ ଶୁଖିଲା ପାଗ, ପୁଣି କଲବଲ କରିବ ଡ଼ହଡ଼ହ ଖରା
ପୁଣି ଜଳିବ ଓଡ଼ିଶା। ଖରା ନେଇ ସତର୍କ କଲା ପାଣିପାଗ ବିଭାଗ। ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ। ପୁଣି ରାଜ୍ୟରେ ଅସମ୍ଭାଳ ତାତି।
ଭୁବନେଶ୍ୱର: ପୁଣି ରେକର୍ଡ ପରେ ରେକର୍ଡ ଭାଙ୍ଗିବ ତାତି। ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଜ୍ୟରେ ଟାଣ ଖରା ସହ ବୃଦ୍ଧି ପାଇବ ପାରଦ।
ବୃଦ୍ଧି ପାଇବ କ’ଣ? କାଳବୈଶାଖୀ ବର୍ଷା ନକମୁଣୁ ରାଜ୍ୟରେ ଟାଇଁ ଟାଇଁ ଖରା ଅନୁଭୂତ ହେଲାଣି। ମୁହଁ ପୋଡି ପକାଇଲାଣି। ଘରୁ ବାହାରିବାକୁ ଡର ଲାଗିଲାଣି। ଆଉ ତାପରେ ପାଣିପାଗ ବିଭାଗର ପୂର୍ବାନୁମାନ ୩ ଦିନ ପରେ ଆହୁରି ବଢିବ ପାରଦ। ଯାହାକି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇବ।
ହଁ କାଳବୈଶାଖୀ ପୂର୍ବରୁ ମାର୍ଚ୍ଚ ମାସ ଆରମ୍ଭରୁ ଡହ ଡହ ଖରାରେ ସିଝୁଥିଲା ଓଡ଼ିଶା। ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଥିଲା ପାରଦ। ଯେଉଁ ସମୟରେ ପାହାନ୍ତିଆ ଶୀତ ପଡିବା କଥା ସେହି ସମୟରେ କଲବଲ କରୁଥିଲା ଗରମ। ହେଲେ ଏହି ଗରମରୁ ଟିକେ ଆଶ୍ୱସ୍ତି ଦେଇଥିଲା କାଳବୈଶାଖୀ ବର୍ଷା।
ହେଲେ ବର୍ଷା ଛାଡୁ ଛାଡୁ ପୁଣି ଖରା ନିଜର ପ୍ରକୋପ ଦେଖାଇବା ଆରମ୍ଭ କଲାଣି। ସକାଳ ୮ଟାରୁ ଟାଇଁଟାଇଁ ଖରା ଅନୁଭୂତ ହେଲାଣି। ଆଉ ୨୯ ତାରିଖରେ ପୁଣି ଫେରିବ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ସେଥିପାଇଁ ସତର୍କତା ମଧ୍ୟ ଜାରି କରିଛି।
ଆସନ୍ତା ୫ ଦିନ ଯାଏଁ ବର୍ଷାର କୌଣସି ସମ୍ଭାବନା ନାହିଁ। ଅର୍ଥାତ୍ ଆସନ୍ତା ୫ ଦିନ ଯାଏଁ ସୁଖିଲା ପାଗ ରହିବା ସହ ଖରା ହେବ। ଏହି ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଛୁଇଁପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
୨୯ ତାରିଖରେ ହିଟ୍ ୱେଭ୍ ପାଇଁ ସତର୍କତା ଜାରି କରାଯାଇଥିବା ବେଳେ, ସୋନପୁର ,ବଲାଙ୍ଗୀର, ବୌଦ୍ଧ ,କଳାହାଣ୍ଡି ଓ ସମ୍ବଲପୁର ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୩୦ ତାରିଖରେ ସମାନ ଜିଲ୍ଲାରେ ହିଟ୍ ୱେଭ୍ ସତର୍କତା ଥିବାବେଳେ ବର୍ଷାର କୌଣସି ସମ୍ଭାବନା ନଥିବା ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।