ଭାରତ ଆସୁଛନ୍ତି ପୁଟିନ, ଜାଣନ୍ତୁ କଣ ହେବ ଆଲୋଚନା

ରୁଷ-ୟୁକ୍ରେନ ଯୁଦ୍ଧ ପରେ ପୁଟିନ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି ।

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ । ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଋଷ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ବର୍ତ୍ତମାନ ଭାରତ ଆସିବେ ପୁଟିନ ।

ଋଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ଏହାକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି । କିନ୍ତୁ କେବେ ଆସିବେ ସେନେଇ ଘୋଷଣା କରାଯାଇ ନାହିଁ ।

ଲାଭରୋଭ କହିଛନ୍ତି, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି ।  ଏହି ଗସ୍ତ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର କାରଣ ଭାରତ ଏବଂ ଋଷ ମଧ୍ୟରେ ସମ୍ପର୍କ ସର୍ବଦା ମଜବୁତ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ତୃତୀୟ କାର୍ଯ୍ୟକାଳ ପରେ ପ୍ରଥମ ବିଦେଶ ଗସ୍ତରେ ଋଷ ଯାଇଥିଲେ । ଏବେ ପୁଟିନଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଆହୁରି ମଜବୁତ ସମ୍ପର୍କର ଏକ ସଙ୍କେତ ।

ଏହା ଯୁଦ୍ଧର ଯୁଗ ନୁହେଁ- ଏହି ଗସ୍ତ ସମୟରେ ପୁଟିନ ଏବଂ ମୋଦୀ ଉଭୟ ୟୁକ୍ରେନ ଯୁଦ୍ଧ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଶ୍ୱ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ୟୁକ୍ରେନ ଯୁଦ୍ଧରେ ଭାରତ ସର୍ବଦା ନିରପେକ୍ଷ ମନୋଭାବ ବଜାୟ ରଖିଆସିଛି ।

ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ କହିଥିଲେ ଯେ ‘ଏହା ଯୁଦ୍ଧର ଯୁଗ ନୁହେଁ’। ଭାରତ ମଧ୍ୟ ରୁଷ ବିରୁଦ୍ଧରେ ଜାତିସଂଘରେ ଗୃହୀତ ପ୍ରସ୍ତାବ ଉପରେ ଭୋଟ ଦେବାରୁ ନିବୃତ୍ତ ରହିଛି ଏବଂ ପୁଟିନଙ୍କ ପ୍ରତି ସାର୍ବଜନୀନ ସମାଲୋଚନାକୁ ଏଡାଇ ଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି 2024 ମସିହାରେ ଏକ ପଦକ୍ଷେପ ନେଇଥିଲେ ଯାହା ବହୁତ କମ ନେତା କରିଥିଲେ । ସେ ଋଷ ଏବଂ ୟୁକ୍ରେନ ଉଭୟ ଗସ୍ତ କରିଥିଲେ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ ଭେଟିଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବରରେ ଋଷର କାଜାନରେ ବ୍ରିକ୍ସ ଶିଖର ସମ୍ମିଳନୀରେ ମଧ୍ୟ ଯାଇଥିଲେ। ପୁଟିନଙ୍କ ଏହି ଆଗାମୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିପାରିବ ଏବଂ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଉପରେ ନୂତନ ଆଲୋଚନା ପାଇଁ ପଥ ଖୋଲିପାରିବ ।