ଭୁବନେଶ୍ବର: କିଛିଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରବାହ । 8ଟି ସହରରେ ତାପମାତ୍ରା 40 ଡିଗ୍ରୀ ଛୁଇଁଛି । ତେବେ ଆସନ୍ତା 3 ଦିନ ପାଇଁ କିଛି ଜିଲ୍ଲାକୁ ହିଟଓ୍ବେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 2ରୁ 4 ଡିଗ୍ରୀ ବୃଦ୍ଧି ପାଇପାରେ ଦିନ ଏବଂ ରାତିର ତାପମାତ୍ରା ।
ଆସନ୍ତା 3 ଦିନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି । ଆଜି ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ହୋଇପାରେ ବୋଲି କୁହାଯାଇଛି । ସେହିପରି ଉପକୂଳରେ ବି 40 ଡିଗ୍ରୀ ଡେଇଁବ ତାପମାତ୍ରା ।
ଆଜି ପାଇଁ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା ଏବଂ ସମ୍ବଲପୁରରେ ତାପମାତ୍ରା 42 ଡିଗ୍ରୀ ରହିପାରେ ବୋଲି ଅନୁମାନ କରାଯାଇଛି ।
ସେହିପରି କଟକ, ଭୁବନେଶ୍ବର, ଚାନ୍ଦବାଲିରେ ମଧ୍ୟ ତାପମାତ୍ରା 38 ଡିଗ୍ରୀ ଛୁଇଁପାରେ । ତେବେ କେବଳ ଆଜି ନୁହଁ ଆସନ୍ତାକାଲି ମଧ୍ୟ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । କାଲି ଆହୁରି ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ତେବେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ଏପ୍ରିଲ 9 ତାରିଖ ଯାଏଁ ଏହି ଧାରା ଜାରି ରହିପାରେ ।