ଭୁବନେଶ୍ୱର: ରାଜ୍ୟରେ ମିଶନଶକ୍ତି ଯୋଜନା ଅଧୀନରେ ଚାଲିଥିବା ସ୍ୱୟଂ ସହାୟକ ଗୋଷ୍ଠୀ(SHGs) ଢାଞ୍ଚାରେ ହେବ ବଡ଼ ପରିବର୍ତନ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ବର୍ତ୍ତମାନ ନିର୍ବାଚନ ଚାଲିଛି, ପୂର୍ବ ସଭାପତି ଏବଂ ସମ୍ପାଦକଙ୍କ ସ୍ଥାନରେ ନୂଆ ନିଯୁକ୍ତି ହେବ।
ନୂତନ ପଦକ୍ଷେପ ଦ୍ୱାରା ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା କରାଯିବ। ଏଥିପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ହେବ। ଏହି କ୍ରମରେ ଜିପିଏଲଏଫ, ସିଏଲଏଫ ଏଂବ ବିଏଲଏଫ ବଦଳିବେ। ୨ ଥର ୪ ବର୍ଷରୁ ଅଧିକ ସମୟ ରହିଥିଲେ ପୁନଃନିଯୁକ୍ତି ମିଳିବ ନାହିଁ।
ଓଡ଼ିଶାରେ “ମିଶନ ଶକ୍ତି” ଯୋଜନା ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ। ୨୦୦୧ ମସିହାରେ ଏହାର ସୂଚନା ହୋଇଥିଲା ଏବଂ ଏହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHGs) ଗଠନ ଓ ପରିଚାଳନା ମାଧ୍ୟମରେ କାର୍ଯ୍ୟ କରେ। ଏହି ଯୋଜନାର ଢାଞ୍ଚା ନିମ୍ନଲିଖିତ ଉପାୟରେ ବିଭିନ୍ନ ସ୍ତରରେ ସଂଗଠିତ ହୋଇଛି।
ସ୍ୱୟଂ ସହାୟକ ଗୋଷ୍ଠୀ (SHGs) ମିଶନ ଶକ୍ତିର ମୂଳ ଭିତ୍ତି। ଗ୍ରାମ ସ୍ତରରେ ୧୦-୨୦ ଜଣ ମହିଳାଙ୍କୁ ନେଇ ଗୋଷ୍ଠୀ ଗଠନ କରାଯାଏ। ଏହି ଗୋଷ୍ଠୀଗୁଡ଼ିକ ସଞ୍ଚୟ, ଋଣ ବଣ୍ଟନ ଓ ଆୟମୂଳକ କାର୍ଯ୍ୟକଳାପ ପରିଚାଳନା କରନ୍ତି। ବିଭିନ୍ନ SHG ମିଳିତ ହୋଇ ଗ୍ରାମ ସ୍ତରରେ ଏକ ସଂଗଠନ ଗଠନ କରନ୍ତି, ଯାହା ଗୋଷ୍ଠୀଗୁଡ଼ିକୁ ସଂଯୋଜନା ଓ ସହାୟତା ପ୍ରଦାନ କରେ।
ବ୍ଲକ ସ୍ତରୀୟ ଫେଡେରେସନ (BLF) ଗ୍ରାମ ସଂଗଠନଗୁଡ଼ିକ ବ୍ଲକ ସ୍ତରରେ ଏକ ଫେଡେରେସନ ଗଠନ କରନ୍ତି, ଯାହା ବୃହତ୍ତର ଯୋଜନା ଓ ସରକାରୀ ସହାୟତା ସହ ସଂଯୋଗ ସ୍ଥାପନ କରେ। ଜିଲ୍ଲା ସ୍ତରୀୟ ଫେଡେରେସନ (DLF) ଜିଲ୍ଲା ସ୍ତରରେ ଏକ ସଂଗଠନ ଗଠନ କରାଯାଏ, ଯାହା ସମସ୍ତ ବ୍ଲକ ଫେଡେରେସନକୁ ସଂଯୋଜିତ କରି ନୀତି ନିର୍ଦ୍ଧାରଣ ଓ ପରିଚାଳନାରେ ସହାୟତା କରେ।
ଓଡ଼ିଶାରେ ୭୦ ଲକ୍ଷରୁ ଅଧିକ ମହିଳା ଏହି ଯୋଜନା ସହ ଜଡ଼ିତ, ଯାହା ୬ ଲକ୍ଷରୁ ଅଧିକ SHG ମାଧ୍ୟମରେ କାର୍ଯ୍ୟ କରୁଛି।ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ମହିଳାମାନଙ୍କୁ ନେତୃତ୍ୱ ଓ ଉଦ୍ୟୋଗୀ ଭୂମିକାରେ ଆଣିଛି। ଏହି ଢାଞ୍ଚା ମାଧ୍ୟମରେମିଶନ ଶକ୍ତି ଓଡ଼ିଶାରେ ମହିଳାଙ୍କ ସାମଗ୍ରିକ ଉନ୍ନୟନ ଓ ରାଜ୍ୟର ରୂପାନ୍ତରଣରେ ଏକ ନୀରବ ବିପ୍ଳବ ସୃଷ୍ଟି କରିଛି।