ପିଅନ୍ ଚାକିରି ପାଇଁ ୨୪ ଲକ୍ଷ ଆଶାୟୀ, ଲାଇନରେ PhD, BTech,B.Ed ଡିଗ୍ରୀ ପିଲା
୫୩ ହଜାର ୭୪୯ ପଦ ପାଇଁ ୨୪ ଲକ୍ଷ ୭୬ ହଜାର ଆଶାୟୀ ଆବେଦନକାରୀ,ପିଅନ୍ ଚାକିରି ପାଇଁ ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ୍, ପିଏଚଡି, ବିଟେକ୍ ପିଲା ଆବେଦନ କରିଛନ୍ତି।
ରାଜସ୍ଥାନ: ଦେଶରେ ବଢୁଛି ବେକାରୀ ସମସ୍ୟା। ଯାହାକୁ ନେଇ ସବୁ ବେଳେ ସରକାରଙ୍କୁ ଟାର୍ଗେଟ କରନ୍ତି ବିରୋଧୀ। ଯାହାର ଜ୍ୱଳନ୍ତ ଉଦହରଣ ରାଜସ୍ଥାନ ଜିଲ୍ଲାରେ ଦେଖିବାକୁ ମିଳୁଛି। ପିଅନ ଚାକିରି ପାଇଁ କିଭଳି ଧାଡ଼ିରେ ୨୪ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥୀ ଥିଲେ।
କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଇଁ ୫୩ ହଜାର ୭୪୯ ପଦ ଖାଲି ପଡ଼ିଥିଲା। ଆଉ ଏଥିପାଇଁ ୨୪ ଲକ୍ଷ ଯୁବକ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ।
ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ ଦ୍ୱାରା ଆୟୋଜିତ ଏହି ନିଯୁକ୍ତି ପାଇଁ ୨୪ ଲକ୍ଷ ୭୬ ହଜାର ଆଶାୟୀ ଆବେଦନ କରିଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଚାକିରି ପାଇଁ ଦଶମ ପାସ୍ ଯୋଗ୍ୟତା ମଗାଯାଇଥିଲା। କିନ୍ତୁ ପିଅନ୍ ଚାକିରି ପାଇଁ ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ୍, ପିଏଚଡି, ବିଟେକ୍ ପିଲା ଆବେଦନ କରିଥିଲେ। ଏଥିପାଇଁ ଆବେଦନ ସେଣ୍ଟର ବାହାରେ ଲାଗିଥିଲା ଲମ୍ବା ଲାଇନ୍।
ସରାକାରୀ ଚାକିରିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷିତ ଯୁବକ ମଧ୍ୟ ଏହି ନିଯୁକ୍ତି ପାଇଁ ଆବେଦନ କରିଥିଲେ। ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡର ସଚିବ ଭାଗଚନ୍ଦ ବଧାଲ କହିଛନ୍ତି ଆବେଦନକାରୀଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ୁଛି।
୧୯ ଅପ୍ରିଲ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ଏହି ଚାକିରି ପାଇଁ ଆବେଦନ କରିଥିଲେ।ଏହା ଉଲ୍ଲେଖନୀୟ ଯେ ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ, ପ୍ରାର୍ଥୀମାନଙ୍କୁ ଅନଲାଇନ୍ ପରୀକ୍ଷା ଦେବାକୁ ପଡିବ। ଏହି ପରୀକ୍ଷା ୧୮ ରୁ ୨୧ ସେପ୍ଟେମ୍ବର ମଧ୍ୟରେ କମ୍ପ୍ୟୁଟର କିମ୍ବା ଟାବଲେଟ୍ ଆଧାରରେ ଅନୁଷ୍ଠିତ ହେବ।
ଅଧିକାଂଶ ଆଶାୟୀ ଏଥିପାଇଁ ଆବେଦନ କରିବାକୁ ଆଗ୍ରହୀ ଥିଲେ ମଧ୍ୟ ରେଜିଷ୍ଟେସନ ସମୟରେ ଓଟିପି ସମସ୍ୟା ପାଇଁ ଏଥିରୁ ବଞ୍ଚିତ ହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି।
ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷାରେ ପ୍ରଦର୍ଶନ ଆଧାରରେ, ଦୁଇଗୁଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେବେ, ଯେଉଁମାନଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଆହୁରି ଡକାଯିବ। ଏହା ପରେ ଚୂଡ଼ାନ୍ତ ଚୟନ କରାଯିବ। ରାଜସ୍ଥାନରେ ଭଜନଲାଲ ସରକାର ଗଠନ ହେବା ପରେ ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ନିଯୁକ୍ତି ବୋଲି କୁହାଯାଉଛି।