ରାତି ୧୦ଟାରୁ ବନ୍ଦ ହେଲା ଗୁଳିମାଡ଼, ଶାନ୍ତ ପଡ଼ିଲା ଜମ୍ମୁ-କାଶ୍ମୀର
ସୀମାରେ ଗୁଳିମାଡ଼ ବନ୍ଦ। ପାକିସ୍ତାନ ହରକତ ଉପରେ କଡ଼ା ନଜର।
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଗତ କିଛି ଦିନ ହେବ ଉତ୍ତେଜନା ଲାଗି ରହିଥିଲା। ସୀମାରେ ଗୁଳିଗୋଳା ବର୍ଷଣ ହେଉଥିଲା। ଯାହାକୁ ନେଇ ଅନେକ ସ୍ଥାନରେ ବ୍ଲାକ୍ ଆଉଟ୍ ମଧ୍ୟ ହୋଇଥିଲା। ହେଲେ ଏବେ ସ୍ଥିତି ଶାନ୍ତ ପଡିଛି। ଆଉ ସୀମାରେ ଫୁଟୁନି ଗୁଳିର ଶବ୍ଦ। କି ହେଉନି କୌଣସି ପ୍ରକାର ବିସ୍ଫୋରଣ।
ଗତକାଲି ରାତି ପ୍ରାୟ ୧୦ଟା ପରଠାରୁ ଆଉ ସୀମାରେ ହେଉନି ଗୁଳିମାଡ଼। ପାକିସ୍ତାନ ପଟରୁ କରାଯାଉନି ଆକ୍ରମଣ। ତେଣୁ ଜମ୍ମୁ-କାଶ୍ମୀରରେ ସାରାରାତି ଶାନ୍ତି। ଜମ୍ମୁ, ଅଖନୁର, ପୁଞ୍ଚ, ଅମୃତସରରେ ସ୍ଥିତି ସ୍ୱାଭାବିକ୍।
ଗତକାଲି ରାତିରୁ ସୀମାରେ ଗୁଳିମାଡ଼ ବନ୍ଦ। ହେଲେ ସୀମାରେ ସମ୍ପୂର୍ଣ୍ଣ ଆଲର୍ଟରେ ରହିଛି ଭାରତୀୟ ସେନା। ପାକିସ୍ତାନର ହରକତ ଉପରେ ରହିଛି କଡ଼ା ନଜର। କଡ଼ା ନଜର ରଖିଛି ସେନା। ସଠିକ୍ ଓ ଦୃଢ ପକକ୍ଷେପ ନେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।
କାରଣ ଗତକାଲି ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ନେଇ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜହେବା ପରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଘଂନ କରିଥିଲା ପାକିସ୍ତାନ। ଅସ୍ତ୍ରବିରତିର ମାତ୍ର ୩ ରୁ ୪ ଘଣ୍ଟା ମଧ୍ୟରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ।
ଯାହାର ମୁହଁତୋଡ଼ ଜବାବ ଦେଇଥିଲେ ଭାରତୀୟ ସେନା। ଉପରେ ଉପରେ ପାକିସ୍ତାନର ଡ୍ରୋନ ଓ ଗୁଳିମାଡ଼ର ଜବାବ ଦେଇଥିଲା ଭାରତୀୟ ସେନା। ହେଲେ ରାତି ୧୦ଟା ପରଠାରୁ ବନ୍ଦ ରହିଛି ଗୁଳିମାଡ଼। ଏବେ ସ୍ଥିତି ଆୟତ୍ତରେ ଥିବା ସୂଚନା ମିଳିଛି।