ଆତଙ୍କବାଦ ଏବଂ ବ୍ୟବସାୟ ଏକା ସଙ୍ଗେ ଚାଲିବ ନାହିଁ : ଅପରାଜିତା
ରକ୍ତ ଓ ପାଣି ଏକାସାଥିରେ ବହିପାରିବ ନାହିଁ ବୋଲି ଦକ୍ଷିଣ କୋରିଆରେ କହିଛନ୍ତି ଭୁବନେଶ୍ବର ସାଂସଦ ।
ଭୁବନେଶ୍ବର: ବିଶ୍ବ ଆଗରେ ପାକିସ୍ତାର ମୁଖା ଖୋଲିବା ପାଇଁ ବିଦେଶ ଗସ୍ତରେ ଭାରତର ସର୍ବଦଳୀୟ ଟିମ୍ ରହିଛନ୍ତି । ୭ ଜଣ ବରିଷ୍ଠ ସାଂସଦଙ୍କ ନେତୃତ୍ବରେ ୭ଟି ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ରକୁ ଯାଇ ପାକିସ୍ତନର ମୁଖା ଖୋଲୁଛନ୍ତି ।
କୋରିଆ ଗସ୍ତରେ ଅପରାଜିତା- ଏହି କ୍ରମରେ ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ବରେ ଏକ ଟିମ୍ ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି । ଏହି ଟିମ୍ରେ ଅଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଆତଙ୍କବାଦକୁ ନେଇ ଚର୍ଚ୍ଚା- ଗସ୍ତର ପଞ୍ଚମ ଦିନରେ ସିଓଲ ଠାରେ ଭାରତୀୟ ଦୂତାବାସରେ ଥିଙ୍କ-ଟ୍ୟାଙ୍କସ୍, ଶିଳ୍ପ ଗୋଷ୍ଠୀ, ଶିକ୍ଷାବିଦ୍, ପ୍ରତିରକ୍ଷା ବିଶେଷଜ୍ଞ ଏବଂ ରାଜନୈତିକ ବିଶ୍ଳେଷକମାନଙ୍କ ସହ ଆତଙ୍କବାଦକୁ ନେଇ ଆଲୋଚନା ହୋଇଥିଲା । ଆଲୋଚନାର ବିଷୟ ଥିଲା ସନ୍ତ୍ରାସବାଦ ଓ ପାକିସ୍ତାନ ତାହାକୁ ଉତ୍ସାହିତ ଓ ପ୍ରସାର କରିବା ପାଇଁ କରୁଥିବା ଚେଷ୍ଟା । ଏହି ଆଲୋଚନାରେ ଉପସ୍ଥିତ ରହି ପାକିସ୍ତାନର ଆତଙ୍କୀ ମୁଖାର ପର୍ଦାଫାସ କରିଥିଲେ ଅପରାଜିତା ।
ଆତଙ୍କବାଦୀଙ୍କୁ କିଭଳି ପାକିସ୍ତାନ ପ୍ରୋତ୍ସାହିତ କରୁଛି ଏବଂ ପାକିସ୍ତାନ କିଭଳି ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ସେନେଇ ଅବଗତ କରାଇଥିଲେ ଅପରାଜିତା । ଅପରାଜିତା କହିଥିଲେ ୨୨ ଏପ୍ରିଲରେ ପହଲଗାମରେ ଯାହା ଘଟିଥିଲା ତାହା କେବଳ ଆଘାତ ଦେଇନାହିଁ । ବରଂ ତାହା ଅତ୍ୟନ୍ତ କ୍ରୋଧିତ କରିଛି ।
ସେହି ଆଘାତ ବିଦେଶର ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ସୃଷ୍ଟି କରିବା ପାଇଁ ୩୩ଟି ଦେଶକୁ ସର୍ବଦଳୀୟ ଟିମ୍ ଗସ୍ତ କରୁଛି । ଦକ୍ଷିଣ କୋରିଆ ଦେଶକୁ ଗସ୍ତ କରିବାର କାରଣ ଏହି ଦେଶ ଭାରତ ସହ ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଦକ୍ଷିଣ କୋରିଆ ହେଉଛି ୟୁଏନ୍ଏସସିର ସଦସ୍ୟ । ସର୍ବଦଳୀୟ ଟିମ୍ ସେହି ସବୁ ଦେଶକୁ ଗସ୍ତ କରୁଛି ଯେଉଁମାନଙ୍କର ସ୍ବର ଅର୍ନ୍ତଜାତୀୟ ସ୍ତରରେ ଗୁରୁତ୍ବ ରଖେ ବୋଲି ଅପରାଜିତା କହିଥିଲେ ।
ପହଲଗାମ୍ ଘଟଣା ନିନ୍ଦନୀୟ- ଆହୁରି ମଧ୍ୟ କଡ଼ା ସମାଲୋଚନା କରି ସେ କହିଥିଲେ, ପହଲଗାମରେ ଘଟିଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଯେତେ କଡ଼ା ଭାଷରେ ନିନ୍ଦା କଲେ ମଧ୍ୟ କମ୍ ହେବ । ପାକିସ୍ତାନ ଆତଙ୍କବାଦକୁ ଉସ୍କାଉଛି ଏବଂ ଆତଙ୍କୀ କାଣ୍ଡ ଭିଆଇବା ଅଭ୍ୟାସରେ ପରିଣତ ହୋଇଛି । ଏଥିପାଇଁ ପାକିସ୍ତାନକୁ ନିନ୍ଦାର ପାତ୍ର । ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ଛାଡ଼ିନାହିଁ ସେ ପର୍ଯ୍ୟନ୍ତ ବ୍ୟବସାୟ ଏବଂ ସମ୍ବାଦ ସ୍ଥାପନ ହୋଇପାରିବ ନାହିଁ । ରକ୍ତ ଓ ପାଣି ଏକାସାଥିରେ ବହିପାରିବ ନାହିଁ ବୋଲି ଅପରାଜିତା କହିଥିଲେ ।
ତେବେ ବୈଠକରେ ଭୁବନେଶ୍ବର ସାଂସଦଙ୍କ କଥାକୁ ଦୃଡ଼ ସମର୍ଥନ ମିଳିଥିଲା । ସମସ୍ତେ ଆତଙ୍କବାଦ ବିରୋଧରେ ସ୍ବର ମିଶାଇଥିଲେ । ଏହି ବୈଠକରେ ସର୍ବଦଳୀୟ ଟିମ୍ ସହ ପ୍ରବାସୀ ଭାରତୀୟମାନେ ମଧ୍ୟ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ ବିଭିନ୍ନ ଦେଶକୁ ସର୍ବଦଳୀୟ ଟିମ୍ ପଠାଇବା ନିଷ୍ପତ୍ତିକୁ ସେମାନେ ପ୍ରଶଂସା କରିଥିଲେ ।