ବିଦେଶରେ ପାକିସ୍ତାନର ଅସଲ ମୁଖା ଖୋଲି ନିଜ ଦେଶକୁ ଫେରିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱରରେ ସାଂସଦଙ୍କୁ ଦିଆଗଲା ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା
ଭୁବନେଶ୍ୱର: କିଛି ଦିନ ହେବ ବିଦେଶ ଗସ୍ତରେ ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଏକା ନୁହଁନ୍ତି ତାଙ୍କ ସହ ତାଙ୍କ ଟିମ୍ ମଧ୍ୟ ବିଭିନ୍ନ ଦେଶ ବୁଲିବା ପରେ ନିଜ କର୍ମକ୍ଷେତ୍ର ଭୁବନେଶ୍ୱରକୁ ଫେରିଛନ୍ତି।
ଆଉ ସେମାନଙ୍କର ବିଦେଶ ଗସ୍ତର ମୁଖ୍ୟ କାରଣ ଥିଲା ବିଦେଶରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧୀ ବାର୍ତ୍ତା ପହଞ୍ଚାଇବା। ଯାହାକି ସମାପ୍ତ କରିବା ପରେ ସ୍ୱଦେଶ ଫେରିଲେ ଅପରାଜିତା। ଭୁବନେଶ୍ୱରରେ ପହଞ୍ଚିବା ପରେ ସାଂସଦଙ୍କୁ ଭବ୍ୟ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଦିଆଗଲା।
ସ୍ୱଦେଶ ଫେରିଲେ ଅପରାଜିତା: ଅପରେସନ ସିନ୍ଦୂରର ସଫଳତା ଗାଥା ଏବଂ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇ ଲାଗି ସମର୍ଥନ ଗୋଟାଇବାକୁ ବିଦେଶ ଗସ୍ତରେ ଯାଇଥିଲେ ଅପରାଜିତା।
ସମସ୍ତେ ନିଜ କାମ ସାରି ଆଜି ନିଜ ଦେଶକୁ ଫେରିଛନ୍ତି। ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ଏବଂ ତାଙ୍କ ଟିମ୍ ନିଜ ଦେଶକୁ ଫେରିବା ପରେ ନିଜ କର୍ମକ୍ଷେତ୍ର ଭୁବନେଶ୍ୱରରେ ପହଞ୍ଚିଛନ୍ତି।
ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ସଂସଦୀୟ କ୍ଷେତ୍ର ତରଫରୁ ଅପରାଜିତାଙ୍କୁ ଦିଆଯାଇଛି ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା। ଆଦିବାସୀ ନୃତ୍ୟ, ଆଦିବାସୀ ବାଜାର ତାଳେ ତାଳେ ଅପରାଜିତାଙ୍କୁ ଫୁଲମାଳ ପିନ୍ଧାଇ ହାତରେ ଜାତୀୟ ପତାକା, ଅପରେସନ ସିନ୍ଦୂର, ଦେଶ୍ କି ବେଟୀ ଲେଖା ଥିବା ପ୍ଲାକାର୍ଡ ଧରି ନାଚି ନାଚି ସ୍ୱାଗତ କରିଥିଲେ କର୍ମୀ।
ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଏକାମ୍ର, ଜୟଦେବ, ଖୋର୍ଦ୍ଧା, ଉତ୍ତର, ମଧ୍ୟ ଭଳି ନିର୍ବାଚନ ମଣ୍ଡଳୀର ବେଜେପି ନେତା ଓ କର୍ମୀ ଭୁନେଶ୍ୱର ବିମାନ ବନ୍ଦରରୁ ପଳାଶପଲ୍ଲୀସ୍ଥିତ ସାଂସଦଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଅପରାଜିତାଙ୍କୁ ନେଇଥିଲେ।
ଯେଉଁଥିରେ ୨ଶହରୁ ଉର୍ଦ୍ଧ୍ୱ କାର୍, ପାଖାପାଖି ୧ ହଜାର ବାଇକ୍ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ୍ ହୋଇଥିଲେ। ଶୋଭାଯାତ୍ରାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ସମେତ ବହୁ ଆଗଧାଡ଼ିର ବିଜେପି ନେତା ଓ କର୍ମୀ ଯୋଗଦେଇଥିଲେ।
ବିଦେଶରେ ପାକିସ୍ତାନର ମୁଖା ଖୋଲିଲେ ଅପରାଜିତା: ଅପରେସନ ସିନ୍ଦୂର ପରେ ଆତଙ୍କବାଦ୍ ଓ ପାକିସ୍ତାନର ଅସଲ ଚେହେରା ସାରା ବିଶ୍ୱକୁ ଜଣାଇବାକୁ ବିଭିନ୍ନ ଦେଶ ଗସ୍ତ କରିଥିଲେ ଭାରତୀୟ ସାଂସଦ ଓ ରାଜନେତା।
ମୋଟ ୫୯ ଜଣ ପ୍ରତିନିଧି ୩୩ଟି ଦେଶ ଭ୍ରମଣ କରିଛନ୍ତି। ଆଉ ଏହି ଗସ୍ତ ଶେଷ କରି ନିଜ ଦେଶକୁ ଫେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଟିମ୍। ଦିଲ୍ଲୀରେ ପହଞ୍ଚିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ଏକ ନିଆରା ଓ ବଡ଼ ଅନୁଭୂତି ବୋଲି ପ୍ରାଥମିକ ପ୍ରତିକ୍ରିୟାରେ କହିଛନ୍ତି ଅପରାଜିତା।
୧୪ ଦିନିଆ ବିଦେଶ ଗସ୍ତ ସମୟରେ ମୋଟ୍ ପାଞ୍ଚଟି ଦେଶ ଭ୍ରମଣ କରି ଫେରିଛନ୍ତି ଅପରାଜିତା ଏବଂ ଟିମ୍। ସଂସଦର ପ୍ରତିନିଧିମଣ୍ଡଳୀଙ୍କର ପ୍ରତିଟି ଦେଶ ଭ୍ରମଣ ସମୟରେ ସବୁବର୍ଗର ଲୋକଙ୍କୁ ଭେଟିବା ସହ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ଭୟାବହତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।
ପ୍ରବାସୀ ଭାରତୀୟ, ବିଭିନ୍ନ ରାଜନୈତିକ ଦଳ, ସେମାନଙ୍କର ନେତା, ସାଧାରଣ ନାଗରିକ, ଯୁବବର୍ଗ ଏପରିକି ସମସ୍ତଙ୍କୁ ପାକିସ୍ତାନ ମାଟିରେ କିଭଳି ଆତଙ୍କବାଦୀ ଏବଂ ବିଭିନ୍ନ ଆତଙ୍କବାଦ ସଂସ୍ଥାକୁ ଜନ୍ମ ଦିଆଯାଉଛି।
ପରେ ସେମାନଙ୍କୁ କିଭଳି ପାଳି ପୋଷି ବଡ଼ କରାଯାଉଛି , ତାହା ମଧ୍ୟ ବିଭିନ୍ନ ତଥ୍ୟ ପ୍ରମାଣ ସହ ଜଣାଯାଇଛି। ସେହିଭଳି ପାକିସ୍ତାନ କିଭଳି ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଭାରତ ବିରୋଧରେ ମିଛ ଅପପ୍ରଚାର କରୁଛି ତାହା ମଧ୍ୟ ସାରା ବିଶ୍ୱକୁ ଜଣାଇଛନ୍ତି ଏହି ପ୍ରତିନିଧି ମଣ୍ଡଳୀ।
ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ପ୍ରଧାନମନ୍ତ୍ରୀ ମୋଦି ତଥା କେନ୍ଦ୍ର ସରକାରଙ୍କ ଏହି ସ୍ୱତନ୍ତ୍ର ଯୋଜନାକୁ ପ୍ରବାସୀ ଭାରତୀୟ ବି ବେଶ୍ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଅପରାଜିତା।
ସେହିଭଳି ଅପରେସନ ସିନ୍ଦୂରକୁ ଯେଉଁମାନେ ବିରୋଧ କିମ୍ୱା ସମାଲୋଚନା କରୁଛନ୍ତି ସେମାନଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଅପରାଜିତା । ଅନ୍ୟପଟେ ଦେଶର ଝିଅ ହିସାବରେ ସେ ବହୁତ ଗର୍ବିତ ବୋଲି କହିଛନ୍ତି।
ଆଉ ପ୍ରଧାନମନ୍ତ୍ରୀ ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କ ଉପରେ ଭରସା ରଖି ଏତେ ବଡ଼ ଦାୟିତ୍ୱ ପ୍ରଦାନ କରିବା ସହ ଏହି ୫୯ ଜଣିଆ ଟିମରେ ସ୍ଥାନ ଦେଇଥିବାରୁ ସେମାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଭୁବନେଶ୍ୱର ସାଂସଦ।