ସରକାରୀ ଗାଡ଼ିରେ ବସି ଦେଖାଉଥିଲେ ରଙ୍ଗ, ଶେଷରେ ଏମିତି ହେଲା ଅବସ୍ଥା
ସରକାରୀ ଗାଡି ଉପରେ ବସି କେକ କାଟିବା, ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା
ଛତିଶଗଡ଼: ସରକାରୀ ଗାଡି ଉପରେ ବସି କେକ କାଟିଲେ, ଷ୍ଟଣ୍ଟ ବି ମାରିଲେ, ଶେଷରେ ଜେଲରେ ଚକି ପେଶିବାକୁ ବି ପ୍ରସ୍ତୁତ ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ 12 ତମ ବାଟାଲିୟନ ରାମାନୁଜଗଞ୍ଜ ଜିଲ୍ଲା ବଳରାମପୁରରେ ନିଯୁକ୍ତ ଡିଏସପି ତସଲିମ ଆରିଫଙ୍କ ପତ୍ନୀ ଏକ ସରକାରୀ ଗାଡ଼ିର ବନେଟ୍ ଉପରେ ଜନ୍ମଦିନ କେକ୍ କାଟୁଥିଲେ। ଏହି ଭିଡିଓଟି ଅମ୍ବିକାପୁର ସହରରୁ ପ୍ରାୟ ସାତ କିଲୋମିଟର ଦୂରରେ ଅବସ୍ଥିତ ରିସର୍ଟ ସରଗୱା ପ୍ୟାଲେସ୍ କମ୍ପ୍ଲେକ୍ସର ବୋଲି କୁହାଯାଉଥିବାବେଳେ ଲୋକମାନେ ଏହି ଭିଡିଓ ଉପରେ ପ୍ରଶ୍ନ ଉଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏବେ ଏହି ମାମଲାରେ ଡିଏସ୍ପିଙ୍କ ପତ୍ନୀଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ଭିଡିଓ ଭାଇରାଲ ହେବାର ପ୍ରାୟ 5 ଦିନ ପରେ ଏହି ଏଫଆଇଆର ପଞ୍ଜିକୃତ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭାଇରାଲ୍ ଭିଡିଓରେ, ଫରହିନ୍ ନୀଳ ଆଲୋକ ଏବଂ ପୋଲିସ ଲୋଗୋ ସହିତ ଏକ ସରକାରୀ ଗାଡ଼ିର ବନେଟ୍ ଉପରେ ବସି ଜନ୍ମଦିନର କେକ୍ କାଟୁଥିବାର ଦେଖାଯାଉଛି। ତାଙ୍କ ସହିତ ଆହୁରି ଅନେକ ଲୋକ ମଧ୍ୟ ଅଛନ୍ତି। ଖାଲି କେକ କାଟୁ ନାହାଁନ୍ତି ବରଂ ସମସ୍ତେ କାରର ଗେଟ୍ ଖୋଲି ଷ୍ଟଣ୍ଟ ମଧ୍ୟ ମାରୁଛନ୍ତି।