ଆଜିଠୁ ବଢିବ ବର୍ଷାର ପ୍ରଭାବ: ୫ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଜାରି ରହିଥିବା ଗୁଳୁଗୁଳି ସ୍ଥିତି ଯୋଗୁଁ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ପାଇଁ ପାଗ ଅନୁକୂଳ ରହୁଛି। ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ିଘଡ଼ି ଜିନିତ ବର୍ଷା ଆଶଙ୍କା ରହିଛି।

ଏହାବ୍ୟତୀତ ୨୪ ତାରିଖ ଅର୍ଥାତ ଆଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଓ ପରିସ୍ଥିତି ଅନୁକୂଳ ରହିଲେ ପରବର୍ତ୍ତୀ ସମୟରେ ଏକ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି। ଏହା ପ୍ରଭାବରେ ୨୪ରୁ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ଏହାପରେ ଅର୍ଥାତ୍‌ ୨୮ କିମ୍ବା ୨୯ ତାରିଖରେ ମଧ୍ୟ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଆଶଙ୍କା ରହିଥିବାରୁ ପ୍ରାୟ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ଆକଳନ କରାଯାଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୫ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

ଅନ୍ୟପଟେ ରଥଯାତ୍ରା ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦକ୍ଷିଣ ଉତ୍ତରପ୍ରଦେଶର ମଧ୍ୟଭାଗରେ ଥିବା ଘୂର୍ଣ୍ଣିବଳୟର ଉପର ଦେଇ ଏକ ଟ୍ରଫ୍‌ ଲାଇନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ, ଝାରଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଗତି କରୁଛି।

ଏଥିସହ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ପଶ୍ଚିମ-କେନ୍ଦ୍ର ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଅବସ୍ଥିତ। ଏହାର ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ହେବାର ସମ୍ଭାବନା ଘନୋଉଛି। ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।