ଯାଜପୁର: ଯାଜପୁର ଜିଲ୍ଲାରେ ଡାଇରିଆ ଓ ହଇଜା ସଂକ୍ରମଣ ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସି ନଥିବା ବେଳେ ଏବେ ଜଣ୍ଡିସ୍ ନୂଆ ଆତଙ୍କ ସୃଷ୍ଟି କରିଛି। ବରୀ ବ୍ଲକର ବୋହୁଆ ପଞ୍ଚାୟତର ୧୬ ନମ୍ବର ୱାର୍ଡ ଅଧୀନ ଦଳିତସାହି ଓ ପାଳସାହି ଗ୍ରାମରେ ଜଣ୍ଡିସ୍ ରୋଗରେ ୬୦ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ରୋଗରେ ଗତ ସପ୍ତାହେ ପାଳସାହି ଗ୍ରାମର ଭୀମସେନ ମଲ୍ଲିକଙ୍କ ୧୨ ବର୍ଷୀୟା ଝିଅ ତୁଳସୀଙ୍କର ମୃତ୍ୟୁ ହୋଇଥିବା ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇଛି।
ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ମଙ୍ଗଳବାର ପାଳସାହି ଗ୍ରାମରୁ ୧୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଡାକ୍ତରୀ ଦଳର ପ୍ରାଥମିକ ଅନୁମାନ ଅନୁଯାୟୀ, ଦୂଷିତ ପାନୀୟ ଜଳ ବ୍ୟବହାର ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ। ଗ୍ରାମବାସୀଙ୍କ ମଧ୍ୟରେ ଝାଡ଼ା ଓ ବାନ୍ତି ଭଳି ଲକ୍ଷଣ ମଧ୍ୟ ଦେଖାଦେଇଛି, ଯାହା ସ୍ଥିତିକୁ ଆହୁରି ଗମ୍ଭୀର କରିଛି।
ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ ମିଶ୍ର କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍କୁ ଉକ୍ତ ଅଞ୍ଚଳକୁ ପଠାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗ୍ରାମରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯାଇଛି। ତଥାପି, ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଓ ଅସନ୍ତୋଷ ଦେଖାଦେଇଛି, କାରଣ ସେମାନେ ସମୟିକ ଚିକିତ୍ସା ଓ ପରିଷ୍କାର ଜଳ ଅଭାବକୁ ନେଇ ଅଭିଯୋଗ କରୁଛନ୍ତି।