ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ।
ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । X ରେ କହିଛନ୍ତି, “ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ଅବ୍ୟାହତ ରହୁ, ଏହି ପୁଣ୍ୟ ଅବସରରେ ଏହା ମୋର ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା”।
ସେପଟେ ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘X’ରେ ରଥଯାତ୍ରାର ଏକ ଭିଡ଼ିଓ ସେୟାର କରି କହିଛନ୍ତି, “ମହାପ୍ରଭୁ ଆମ ପାଇଁ ଆରାଧ୍ୟ ଓ ପ୍ରେରଣା…ପୂରା ବିଶ୍ୱରେ ରଥଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି। ବିଭିନ୍ନ ରାଜ୍ୟରେ ଧୂମଧାମ୍ରେ ରଥଯାତ୍ରା ପାଳନ କରାଯାଏ। ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଅଦ୍ଭୁତ” । ଦେଶବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ ମୋଦୀ।
ସେହିପରି ରାଜ୍ୟବାସୀଙ୍କୁ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । “କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥ” । ରାଜ୍ୟର ବିକାଶ ତଥା ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ପ୍ରଗତି ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚରଣକମଳରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ‘ରଥଯାତ୍ରା’ର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଏହା ମଧ୍ୟ କହିଛନ୍ତି ଯେ “ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତିପୂର୍ଣ୍ଣ ପରିବେଶରେ ଏକାକାର ହେବାର ଅନନ୍ୟ ଯାତ୍ରା ହେଉଛି ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ସମସ୍ତ ଭକ୍ତମାନଙ୍କର ମଙ୍ଗଳ କରନ୍ତୁ”, ଏହା କାମନା ।
ସେପଟେ ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ଏଥିପାଇଁ ରଥ ପଥ ସବୁ ପ୍ରସ୍ତୁତ ରହିଛି । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ କାଳିଆ ସାହାନ୍ତେ ।