ଏପଟେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ସେପଟେ ବୁଲଡୋଜରରେ ଭଙ୍ଗା ଚାଲିଛି ହିନ୍ଦୁ ମନ୍ଦିର

ପୁଣି ତେଜିଲା ହିନ୍ଦୁ-ମୁସଲମାନ ବିବାଦ!

 ନୂଆଦିଲ୍ଲୀ: ଗୋଟେପଟେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୂରା ଦେଶରେ ଭକ୍ତିମୟ ପରିବେଶ। ହେଲେ ଅନ୍ୟପଟେ ହିନ୍ଦୁମାନଙ୍କ ଭାବାବେଗ ଉପରେ ସିଧା ବୁଲଡୋଜର ଚଢ଼ାଇ ଦିଆଯାଉଛି।

ଅର୍ଥାତ୍ ଏପଟେ ରଥଯାତ୍ରା ପାଇଁ କୋଟି କୋଟି ହିନ୍ଦୁଙ୍କ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ପରିବେଶ ଥିବା ସମୟରେ, ସେପଟେ ହିନ୍ଦୁ ମନ୍ଦିରକୁ ବୁଲଡ୍ରୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଯାହାପରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏକ କ୍ରୋଧର ବାତାବରଣ ଦେଖିବାକୁ ମିଳିଛି।

ଏପଟେ ରଥଯାତ୍ରା ସେପଟେ ମନ୍ଦିର ଭଙ୍ଗା: ଆଜି ହେଉଛି ପବିତ୍ର ରତଯାତ୍ରା। ଏଥିପାଇଁ ପୁରା ଦେଶ ଉତ୍ସବ ମୁଖର। ହେଲେ ସେପଟେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଖିଲଖେତ ସର୍ବୋଜାନିନ୍ ଶ୍ରୀ ଶ୍ରୀ ଦୁର୍ଗା ମନ୍ଦିରକୁ ଭାଙ୍ଗିଦିଆଯାଇଛି।

ଯାହାପରେ ମୁସଲିମ ବହୁଳ ଦେଶରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ବ୍ୟାପକ କ୍ରୋଧ ଏବଂ ନିନ୍ଦା ସୃଷ୍ଟି କରିଛି। ଭାରତ ଏହି ଘଟଣାର ନିନ୍ଦା କରି କହିଛି ଯେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଘଟଣାକୁ “ଅବୈଧ ଭୂମି ବ୍ୟବହାର” ଏବଂ “ମନ୍ଦିର ଭାଙ୍ଗିବାକୁ ଚାହୁଁଥିବା ଉଗ୍ରବାଦୀ” ଭାବରେ ଚିତ୍ରଣ କରିଛନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଉଗ୍ରବାଦୀମାନେ ମନ୍ଦିର ହଟାଇବା ପାଇଁ ଦାବି କରିଥିଲେ। ହେଲେ ଏହାକୁ ସୁରକ୍ଷା ଦେବା ପରିବର୍ତ୍ତେ କର୍ତ୍ତୃପକ୍ଷ ବେଆଇନ ଭୂମି ବ୍ୟବହାରକୁ ଉଦ୍ଧୃତ କରିଥିଲେ ଏବଂ ମନ୍ଦିର ଭାଙ୍ଗିବାକୁ ଅନୁମତି ଦେଇଥିଲେ।

ଭାରତର ନିନ୍ଦା: ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଢାକାର ଦୁର୍ଗା ମନ୍ଦିର ଧ୍ୱଂସ କରିବା ପାଇଁ ବାଂଲାଦେଶୀ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଜାଣିବାକୁ ପାଇଛୁ ଯେ ଉଗ୍ରବାଦୀମାନେ ଢାକାର ଖିଲଖେତରେ ଦୁର୍ଗା ମନ୍ଦିର ଭାଙ୍ଗିବାକୁ ଦାବି କରୁଥିଲେ। ହେଲେ ମନ୍ଦିରକୁ ସୁରକ୍ଷା ଦେବା ପରିବର୍ତ୍ତେ, ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଘଟଣାକୁ ଅବୈଧ ଭୂମି ବ୍ୟବହାର ଭାବରେ ପ୍ରଦର୍ଶିତ କରିଥିଲେ ଏବଂ ସେମାନେ ଆଜି ମନ୍ଦିରକୁ ଭାଙ୍ଗି ଦେଲେ.

ଫଳସ୍ୱରୂପ, ମୂର୍ତ୍ତି ସ୍ଥାନାନ୍ତର ହେବା ପୂର୍ବରୁ ହିଁ କ୍ଷତିଗ୍ରସ୍ତ ହୋଇଥିଲା। ବାଂଲାଦେଶରେ ଏପରି ଘଟଣା ବାରମ୍ୱାର ଘଟୁଥିବାରୁ ଆମେ  ନିରାଶ ବୋଲି କହିଛନ୍ତି ରଣଧୀର ଜୟସୱାଲ।

ଜୟସୱାଲ କହିଛନ୍ତି ଯେ “ହିନ୍ଦୁ, ସେମାନଙ୍କର ସମ୍ପତ୍ତି ଏବଂ ଧାର୍ମିକ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଦେବା” ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦାୟିତ୍ୱ।

ଗତବର୍ଷ ଅଗଷ୍ଟ ୫ ତାରିଖରେ ସରକାର ବିରୋଧୀ ପ୍ରତିବାଦ ପରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ପଳାଇଯିବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ପଡ଼ୋଶୀ ଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ରୋକିବାରେ ବିଫଳ ହେବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ନାଟକୀୟ ଭାବରେ ଖରାପ ହୋଇଥିଲା।