ଛାଡପତ୍ର ପରେ ମଧ୍ୟ ନିର୍ଯାତନା, ସ୍ତ୍ରୀର ନାକ କାଟି ତାକୁ ସୂର୍ପଣଖା କରିଦେଲା ସ୍ୱାମୀ

ମଦ ପିଇ ସ୍ତ୍ରୀର ନାକ କାଟିଦେଲା ସ୍ୱାମୀ

ଉତ୍ତରପ୍ରଦେଶ: ନିଜ ସ୍ତ୍ରୀର ନାକ କାଟି ତାକୁ ସୂର୍ପଣଖା କରିଦେଲା ସ୍ୱାମୀ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ବାରାଦାରି ଥାନା ଅଞ୍ଚଳରୁ ଦେଖିବାକୁ ମିଳିଛି। ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଘରେ ଥିବା ୩୦ ବର୍ଷୀୟା ଭାରତୀଙ୍କୁ ତାଙ୍କ ସ୍ୱାମୀ ଓମପ୍ରକାଶ ଆକ୍ରମଣ କରିଥିଲେ ଏବଂ ଏକ ଧାରୁଆ ଛୁରୀରେ ତାଙ୍କ ନାକ କାଟି ଦେଇଥିଲେ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାରତୀ ତଳେ ପଡ଼ିଯିବା ପରେ ଝିଅ ତୁରନ୍ତ ତାଙ୍କ ମାଆଙ୍କୁ ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ଅପରେସନ କରି ତାଙ୍କ ଜୀବନ ବଞ୍ଚାଇଥିଲେ। ଡାକ୍ତରମାନେ କହିଛନ୍ତି ଯେ, ଭାରତୀଙ୍କ ଚିକିତ୍ସା ଚାଲିଛି, କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଘଟଣା ପରେ, ଭାରତୀଙ୍କ ସାନ ଝିଅ ଶିଖା ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ଓମପ୍ରକାଶ ପ୍ରାୟତଃ ମଦ ପିଇ ଘରକୁ ଆସି ସେମାନଙ୍କୁ ମାରୁଛନ୍ତି। ସେ ମାଆ ଏବଂ ଝିଅଙ୍କୁ କାମ କରିବାକୁ ଏବଂ ଟଙ୍କା ଆଣିବା ପାଇଁ ଚାପ ପକାନ୍ତି। ସେ ନିଜେ କୌଣସି ଖର୍ଚ୍ଚ ବହନ କରନ୍ତି ନାହିଁ, ବରଂ ସେମାନେ ଯାହା କିଛି ରୋଜଗାର କରନ୍ତି ତାହା ସେ ହଡ଼ପ କରନ୍ତି।

ଏହି ସମସ୍ତ କାରଣ ଯୋଗୁଁ ତାଙ୍କ ମାଆ ଗୋଟିଏ ବର୍ଷ ପୂର୍ବରୁ ଓମପ୍ରକାଶଙ୍କୁ ଛାଡପତ୍ର ଦେଇଥିଲେ। କିନ୍ତୁ ଏହା ସତ୍ତ୍ୱେ, ଓମପ୍ରକାଶ ତାଙ୍କୁ ଛାଡି ଯାଉନାହାଁନ୍ତି। ସେ ବାରମ୍ବାର ଘରକୁ ଆସି ତାଙ୍କୁ ହଇରାଣ କରୁଛନ୍ତି। ସେ ପୋଲିସଙ୍କ ଆଗରେ ଗୁହାରି କରି କହିଛନ୍ତି ଯେ, ମୋ ମାଆଙ୍କୁ ଆଉ ମତେ ମୋ ବାପାଙ୍କଠାରୁ ରକ୍ଷା କରନ୍ତୁ। ନହେଲେ ସେ ଆମକୁ ମାରିଦେବେ।

ଅନ୍ୟପଟେ କିନ୍ତୁ ଭାରତୀଙ୍କ ବଡ଼ ଝିଅ ଆରତୀ କହିଛନ୍ତି ଯେ, ତାଙ୍କ ମାଆ ରାଜ ନାମକ ଜଣେ ଯୁବକଙ୍କ ସହିତ ରହୁଛନ୍ତି, ଯିଏ ତାଙ୍କ ପୁଅ ବୟସର। ଏହି କାରଣରୁ ତାଙ୍କ ବାପା ଓମପ୍ରକାଶ ବିରକ୍ତ ହେଉଛନ୍ତି ଏବଂ ଏହାକୁ ସହ୍ୟ କରିପାରୁ ନାହାଁନ୍ତି।

ଏହି ସବୁ ଘଟଣା ଶୁଣିଲା ପରେ ପୋଲିସ ଏହାର ତଦନ୍ତ କରୁଛି ଏବଂ ମହିଳାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।