icici-Axis-HDFC ବ୍ୟାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଗରିବ ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଅଧିକ ୠଣ ଦେବାକୁ ପରାମର୍ଶ

ଲୋକମାନଙ୍କୁ ୠଣ ଜରିଆରେ ଆର୍ଥିକ କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ସେମାନଙ୍କ ରୋଜଗାର ବୃଦ୍ଧି କରିବା ହେଉଛି ସରକାରଙ୍କ ଲକ୍ଷ୍ୟ । 

ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ଜନକଲ୍ୟାଣ  ଯୋଜନାରେ ଗରିବ ଲୋକମାନଙ୍କୁ ଅଧିକ ୠଣ ଦେବାପାଇଁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା କୃଷି ୠଣ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା (PMEGP), ପିଏମ୍ ସ୍ୱନିଧି ଯୋଜନା, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା, ଗୃହୠଣ, ଶିକ୍ଷାୠଣ ଓ ରପ୍ତାନୀ ୠଣ ଆଦି ବିଭିନ୍ନ ଯୋଜନାରେ ଏହି ବ୍ୟଙ୍କ ଗୁଡିକର ପ୍ରଦର୍ଶନ ଅତ୍ୟନ୍ତ କମ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୨୧ ତାରିଖରେ ଏହି ବ୍ୟାଙ୍କ ଗୁଡିକୁ ନିଜର Empanelled List ରୁ କାଢିଦେଇଛନ୍ତି ।
କଣ କହିଲେ ମୁଖ୍ୟମନ୍ତ୍ରୀ- ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅନେକ ଗରୀବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ଗରିବ ଲୋକଙ୍କୁ ଋଣ ଦିଅନ୍ତୁ- କିନ୍ତୁ, ଏହି ସବୁ ଯୋଜନା ଗୁଡିକରେ ଏହି ତିନୋଟି ବ୍ୟାଙ୍କର ପ୍ରଦର୍ଶନ ଓଡିଶାରେ ଆଦୌ ସନ୍ତୋଷ ଜନକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଗୁଡିକ ହେଉଛନ୍ତି ଏକ ବଡ ମାଧ୍ୟମ । ତେଣୁ, ଏହି ସବୁ ବ୍ୟାଙ୍କ ଗୁଡିକ ବିଭିନ୍ନ ଯୋଜନାରେ ଯେଉଁଥିରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି, ସେଥିରେ ଅଧିକ ଲୋକଙ୍କୁ ୠଣ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବ୍ୟାଙ୍କମାନଙ୍କ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରି କହିଥିଲେ ଯେ, ସେମାନେ ଏହି ସବୁ ଯୋଜନାରେ ଲୋକଙ୍କୁ ୠଣଦେବା ପାଇଁ ଆଗ୍ରହୀ ଅଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଇଥିଲେ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ବ୍ୟାଙ୍କ ମାନଙ୍କ ପ୍ରଦର୍ଶନ ବିଷୟରେ ଅବଗତ କରିଥିଲେ।  ବୈଠକରେ ଆକ୍ସିସ୍ ବ୍ୟାଙ୍କର ଏକଜୁକ୍ୟୁଟିଭ ଡାଇରେକ୍ଟର ମୁନୀଷ ସାରଦା, ସରକାରୀ ବିଜନେସ କଣ୍ଟ୍ରିହେଡ୍ ଅନୀଲ ଅଗ୍ରୱାଲ୍, ଇଷ୍ଟ ରିଜିଓନାଲ ହେଡ୍ ଶ୍ରୀ ସୌରଭ ଦତ୍ତା, ଏଚଡିଏଫସି ବ୍ୟାଙ୍କ ପକ୍ଷରୁ କଣ୍ଟ୍ରି ହେଡ୍ ସ୍ମିତା ଭଗତ୍, ବ୍ରାଞ୍ଚ ବ୍ୟାଙ୍କିଙ୍ଗ ହେଡ୍ ଇଷ୍ଟ ସନ୍ଦୀପ କୁମାର, ରିଜିଓନାଲ ହେଡ୍ ଦୀପକ ସିଂହ ଏବଂ ଆସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବିଜନେସ ହେଡ ସୁମିତ ମେହେରୋତ୍ରା, ଓଡିଶା ସିଟି ବିଜିନେସ ହେଡ୍  ବିନୋଦ ଏଲ୍ ଏବଂ ରିଜିଓନାଲ ହେଡ୍ ଅମିୟ ନାୟକ ପ୍ରମୁଖ ଯୋଗଦେଇଥିଲେ ।