ହାତୀ ଶିକାର, ଦାନ୍ତ ଲୁଟ ମାମଲାରେ ତେଜିଲା ରାଜନୀତି, ନୀଳଗିରି ବିଧାୟକଙ୍କୁ ଗିରଫ ଦାବି କଲା ବିଜେଡ଼ି

ହାତୀ ଶିକାର, ଦାନ୍ତ ଲୁଟ ମାମଲାରେ ତେଜିଲା ରାଜନୀତି, ନୀଳଗିରି ବିଧାୟକଙ୍କୁ ଗିରଫ ଦାବି କଲା ବିଜେଡ଼ି । ସେପଟେ ବିଧାୟକ ଶ୍ରୀ ଖଟୁଆ ଜବାବରେ କହିଛନ୍ତି, “ନିଜ ଅସ୍ତିତ୍ୱ ରକ୍ଷା ପାଇଁ ବିଜେଡି କେବଳ ନାକଟବାଜି ଚଳାଇଛି”।

ଭୁବନେଶ୍ବର: ନୀଳଗିରିରେ ହାତୀ ଶିକାର ଓ ହାତୀ ଦାନ୍ତ ଲୁଟ ମାମଲାକୁ ନେଇ ତେଜିଛି ରାଜନୀତି। ଏହି ମାମଲାରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସଂପୃକ୍ତି ନେଇ ବିଜେଡି ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛି। ବିଧାୟକ ଶ୍ରୀ ଖଟୁଆ ଜବାବରେ କହିଛନ୍ତି, “ନିଜ ଅସ୍ତିତ୍ୱ ରକ୍ଷା ପାଇଁ ବିଜେଡି କେବଳ ନାକଟବାଜି ଚଳାଇଛି”।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ମନ୍ତ୍ରୀ ଜ୍ଯୋତି ପାଣିଗ୍ରାହୀ ଓ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ ହାତୀ ଶିକାର ଓ ହାତୀ ଦାନ୍ତ ଦାନ୍ତ ଲୁଟ ମାମଲା ଉଠାଇଥିଲେ। ଲେଖାଶ୍ରୀ କହିଛନ୍ତି, ଗତ ଜୁନ 15ରେ ନୀଳଗିରି ବ୍ଳକ ଅନ୍ତର୍ଗତ ତେଲିପାଡ଼ ପଞ୍ଚାୟତର ହୁଡ଼ି ସାହି ଗାଁ ନିକଟରେ ଏକ ଦନ୍ତା ହାତୀର ମୃତଦେହ ମିଳିଥିଲା। ମୃତ ହାତୀର ଦାନ୍ତକୁ ଦୁବୃତ୍ତମାନେ କାଟି ନେଇ ଯାଇଥିଲେ। ଏହି ଘଟଣାରେ ଜଙ୍ଗଲ ବିଭାଗ 4ଜଣଙ୍କୁ ଗିରଫ କରିଥିଲା । 4 ଅଭିଯୁକ୍ତଙ୍କ ଭିତରୁ 3 ଜଣଙ୍କୁ ସେହି ଅଞ୍ଚଳରେ ଥିବା ନୀଳଗିରି ବିଧାୟକ ଶ୍ରୀ ଖଟୁଆଙ୍କ ଫାର୍ମ ହାଉସରୁ ଗିରଫ କରାଯାଇଥିଲା। ହେଲେ ନୀଳଗିରି ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବନ ବିଭାଗ। ଶାସକ ଦଳ ବିଧାୟକ ହୋଇଥିବାରୁ ରାଜ୍ୟ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ହାତୀ ମୃତ୍ୟୁ ଓ ହାତୀ ଦାନ୍ତ ଲୁଟ ମାମଲାରେ ଶ୍ରୀ ଖଟୁଆଙ୍କୁ ଗିରଫ କରିବାକୁ ଲେଖାଶ୍ରୀ ଦାବି କରିଛନ୍ତି।

ଜବାବରେ ବିଧାୟକ ଶ୍ରୀ ଖଟୁଆ କହିଛନ୍ତି, ବିଜେଡିର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରିଥିବା ସମ ସମସ୍ତ ନେତାଙ୍କୁ ଜନତା ଗଣ ନିର୍ବାଚନରେ ପ୍ରତ୍ୟାଖ୍ଯାନ କରିଥିଲେ। ଏହି ବିଜେଡି ନେତାମାନଙ୍କୁ ଲୋକେ ଭୁଲିବାକୁ ଆରମ୍ଭ କଲେଣି। ତେଣୁ ସେମାନେ ଏଭଳି ବୟାନାବାଜି କରି ଗଣମାଧ୍ୟମ ଚର୍ଚ୍ଚାରେ ଆସିବାକୁ ଲାଗିଛନ୍ତି । ସାମ୍ବାଦିକ ସମ୍ମିଳନୀ କରିଥିବା ବିଜେଡି ନେତାଙ୍କ ଭିତରୁ ଜଣେ ଚାକିରି ଜୀବନରେ ଦୁର୍ନୀତି କରି ଭିଜିଲାନ୍ସ ସ୍କାନରରେ ଥିଲେ । ଆଉ ଜଣଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଇ ହୋଇଥିଲା। ଅନ୍ୟ ଜଣେ ନେତା ବୟାନବାଜି କରିବାକୁ ବ୍ୟାକୁଳ।

ପୂର୍ବରୁ ହାତୀ ଶିକାର ଅଭିଯୁକ୍ତ ଧରାପଡ଼ୁ ନଥିଲେ। ଏବେ ବନ ବିଭାଗ ସେମାନଙ୍କୁ ଧରୁଛି। ସେବେ ଅପରାଧୀଙ୍କୁ କିଏ ପ୍ରଶୟ ଦେଉଥିଲେ ? ପୂର୍ବରୁ ବନବିଭାଗକୁ ଆକ୍ରମଣ କରିବାର ଅନେକ ଘଟଣା ରହିଛି। । ସେତେବେଳେ ସରକାର କ’ଣ କରୁଥିଲେ ? ମୂଳ କଥା ହେଲା, ନିଜ ଅସ୍ତିତ୍ବ ଜାହିର କରିବା ପାଇଁ ବିଜେଡି ନେତା, ଏ ନୂଆ ନାଟକ କରୁଥିବା ଶ୍ରୀ ଖଟୁଆ କହିଛନ୍ତି।