ମରିଗଲା ମାନବିକତା, ହଜିଗଲା ବିବେକ: ପ୍ରେମୀଯୁଗଳଙ୍କ ବେକରେ ହଳ, ଲଙ୍ଗଳ ପକାଇ ବିଲରେ ଖଟାଇଲେ

ମରିଗଲା ମାନବିକତା, ହଜିଗଲା ବିବେକ । ପ୍ରେମ କଲେ ବୋଲି ଗାଁ ମଝିରେ ଦେଲେ ବଳଦ ଦଣ୍ଡ ।

ରାୟଗଡ଼ା: ମରିଗଲା ମାନବିକତା, ହଜିଗଲା ବିବେକ । ପ୍ରେମ କଲେ ବୋଲି ଗାଁ ମଝିରେ ଦେଲେ ବଳଦ ଦଣ୍ଡ । ଗୋଟିଏ ବଂଶର ହୋଇଥିବାରୁ ପ୍ରେମୀଯୁଗଳଙ୍କୁ ଗ୍ରାମବାସୀଙ୍କ ଅତ୍ୟାଚାର । ଗାଁ ମଝିରେ ବଳଦ ସଜାଇଲେ ଲୋକେ । ବେକରେ ହଳ, ଲଙ୍ଗଳ ପକାଇ ବିଲରେ ଖଟାଇଲେ । ଏହାପରେ ପ୍ରେମୀ ଯୁଗଳଙ୍କ ସୁଦ୍ଧି କରାଇଲେ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ ।

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ଗ୍ରାମଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଜଣେ ଯୁବକ ଓ ଯୁବତୀଙ୍କ କାନ୍ଧରେ ଯୁଆଳି ପକାଇ କ୍ଷେତରେ ଚାଷ କରିବାକୁ ବାଧ୍ୟ କରାଯାଉଛି ।

ଉଭୟଙ୍କ ଅନିଚ୍ଛା ସତ୍ୱେ ଧମକଚମକ ଦେଇ ହଳ କରାଉଛନ୍ତି ଗାଁ ଲୋକେ। ଅନୁସନ୍ଧାନରୁ ଜଣାପଡିଥିଲା ଯେ ଗାଁ କୁଟୁମ୍ବଙ୍କ ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡି ଦିଆଯାଇଛି। ଏମାନଙ୍କ ଭୁଲ ଥିଲା ଉଭୟ ଗୋଟିଏ ବଂଶର ଓ ସମ୍ପର୍କରେ ପିଉସୀ-ପୁତୁରା । ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ । କାରଣ ସେମାନେ ଗୋଟିଏ ରକ୍ତର ସମ୍ପର୍କ, ତେଣୁ ବିବାହ ହୋଇ ପାରିବ ନାହିଁ।

ତେବେ ଗାଁରେ ବୈଠକ ବସି ଉଭୟଙ୍କୁ ଦଣ୍ଡ ଦିଆଯିବା ସହ ଗାଁରୁ ତଡିଦିଆଯାଇଛି । ବର୍ତ୍ତମାନ ପ୍ରେମୀଯୁଗଳ କେଉଁଠାରେ ଅଛନ୍ତି କାହାରିକୁ ଜଣା ନାହିଁ।