ରାସ୍ତା ଉପରେ ସ୍ୱାମୀର ତାଣ୍ଡବ, ସ୍ତ୍ରୀ ଜଙ୍ଘରେ ପୁରାଇଦେଲା ଖଣ୍ଡା

ରାସ୍ତା ମଝିରେ ସ୍ତ୍ରୀ ଜଙ୍ଘରେ ଖଣ୍ଡା ପୁରାଇଦେଲା ସ୍ୱାମୀ

ମଧ୍ୟପ୍ରଦେଶ: ରାସ୍ତା ମଝିରେ ସ୍ୱାମୀର ତାଣ୍ଡବ। ସ୍ତ୍ରୀକୁ ଖଣ୍ଡାରେ ଆକ୍ରମଣ କରି ତା ଜଙ୍ଘରେ ଖଣ୍ଡା ପୁରାଇଦେଲା। ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ୱାମୀ ରାସ୍ତା ମଝିରେ ତାଙ୍କ ସ୍ତ୍ରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।

ଶେଷ ପ୍ରହାରରେ ଖଣ୍ଡାଟି ପତ୍ନୀଙ୍କ ଜଙ୍ଘରେ ଫସିଯାଇଥିଲା। ତାଙ୍କୁ ସେଠୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ ଅପରେସନ ମାଧ୍ୟମରେ ଖଣ୍ଡା ବାହାର କରିବାକୁ ଚେଷ୍ଟା କରୁଛନ୍ତି।

ପୀଡିତାଙ୍କ ନାଁ ସ୍ୱପ୍ନା ଜାଦବ ବୋଲି କୁହାଯାଉଥିବାବେଳେ ଗତ ଛଅ ମାସ ଧରି ସେ ଏବଂ ତାଙ୍କ ସ୍ୱାମୀ ଅମିତ ଜାଦବ ଅଲଗା ରହୁଥିଲେ। ସ୍ୱପ୍ନା ଘରେ ରୋଷେଇଆ ଭାବରେ କାମ କରନ୍ତି।

ପରିବାର ସଦସ୍ୟଙ୍କ ଅନୁଯାୟୀ, ଅମିତ ସ୍ୱପ୍ନାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ ଏବଂ ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଫୋନ୍‌ରେ ଯୁକ୍ତିତର୍କ ହେଉଥିଲା। ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଶନିବାର ସକାଳେ ସପନା ହେଲିପ୍ୟାଡ୍ କଲୋନିରେ କାମ କରିବାକୁ ଯାଉଥିବା ସମୟରେ ଅମିତ ତାଙ୍କ ରାସ୍ତା ଅବରୋଧ କରିଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ କିଛି ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଅମିତ ରାଗିଯାଇ ତାଙ୍କ ପତ୍ନୀଙ୍କୁ ପାଖରେ ଥିବା ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ସ୍ୱପ୍ନାଙ୍କର ଏଭଳି ଅବସ୍ଥା ହୋଇଥିଲା।

ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସ୍ୱପ୍ନାଙ୍କୁ ତୁରନ୍ତ ଜୟରୋଗ୍ୟ ହସ୍ପିଟାଲ ଗ୍ରୁପର ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିବାର ଦେଖାଯାଇଛି।

ଝାନସି ରୋଡ୍ ପୋଲିସ ଅଭିଯୁକ୍ତ ସ୍ୱାମୀ ଅମିତ ଜାଦବଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୁଦ୍ଧରେ ଗୁରୁତର ଧାରା ଅନୁଯାୟୀ ଏକ ଏଫଆଇଆର ରୁଜୁ କରିଛି।