ପିଲାଙ୍କ ପାଠପଢ଼ା ପିତାମାତାଙ୍କ ପାଇଁ ଏକ ବଡ଼ ଦାୟିତ୍ୱ ପରି। ପିଲା ସମସ୍ତଙ୍କ ଠାରୁ ଆଗରେ ରହୁ ବୋଲି ପିତାମାତା ନିଜର ସମୟ ଓ ଜୀବନର ଅନେକ ଅଂଶ ବିନିଯୋଗ କରିଥା’ନ୍ତି। ଏଥିପାଇଁ ବହୁତ ଖର୍ଚ୍ଚ ମଧ୍ୟ ହୋଇଥାଏ। ସ୍କୁଲ ପରେ ଟ୍ୟୁସନ୍ କିମ୍ବା କୋଚିଂରେ ପିଲାଙ୍କୁ ଭର୍ତ୍ତି କରାଇବାକୁ ପଡ଼ିଥାଏ। କିନ୍ତୁ ଯଦି ଆପଣ ଚାହାଁନ୍ତି, ତେବେ ଆପଣଙ୍କ ପିଲା ନିଜେ ପଢ଼ି ମଧ୍ୟ ସ୍ମାର୍ଟ ହୋଇପାରିବ। ଘରେ ପିଲାଙ୍କୁ ସେଲ୍ଫ୍ ଷ୍ଟଡିର ଅଭ୍ୟାସ କିପରି ଲଗାଇବେ, ତାହା ଏଠାରୁ ଜାଣିପାରିବେ।
ସମୟସୂଚୀ ତିଆରି କରନ୍ତୁ
ପିଲାଙ୍କ ଅଭ୍ୟାସ ସମୟସୂଚୀ ମାଧ୍ୟମରେ ଗଢ଼ି ଉଠିଥାଏ। ତେଣୁ ପ୍ରତିଦିନ ଅତି କମରେ ୨୦ରୁ ୩୦ ମିନିଟ୍ ସେଲ୍ଫ୍ ରିଡିଂ ପାଇଁ ନିର୍ଦ୍ଧାରିତ କରନ୍ତୁ। ଏହି ସମୟ ଶୋଇବା ପୂର୍ବରୁ କିମ୍ବା ସ୍କୁଲ ହୋମୱାର୍କ ପରେ ହୋଇପାରେ। ଧୀରେ ଧୀରେ ଏହା ପିଲାଙ୍କ ଦୈନନ୍ଦିନ ରୁଟିନ୍ର ଅଂଶ ହୋଇଯିବ।
ଚାପ ଦିଅନ୍ତୁ ନାହିଁ
ହୋମୱାର୍କ କରିବା ପାଇଁ ପିଲାଙ୍କ ଉପରେ ଜୋରଜବରଦସ୍ତ ଚାପ ଦେବା ବଦଳରେ ସେମାନଙ୍କୁ ବୁଝାନ୍ତୁ ଯେ ପାଠପଢ଼ା ନିଜକୁ ଆହୁରି ଉନ୍ନତ କରିବାର ଏକ ମାଧ୍ୟମ। ସେମାନଙ୍କୁ ସାହାଯ୍ୟ କରନ୍ତୁ, ସାଙ୍ଗରେ ବସନ୍ତୁ, କିନ୍ତୁ ଜବରଦସ୍ତି କରନ୍ତୁ ନାହିଁ।
ପାଠପଢ଼ାର ମାହୋଲ ତିଆରି କରନ୍ତୁ
ଯେତେବେଳେ ପିଲା ପଢୁଛି, ଆପଣ ମଧ୍ୟ ତାଙ୍କ ସାଙ୍ଗରେ ବସି ଖବରକାଗଜ କିମ୍ବା ବହି ପଢ଼ନ୍ତୁ। ଏହା ପିଲାଙ୍କୁ ଶିଖାଇବ ଯେ ପାଠପଢ଼ା କେବଳ ଏକ କାମ ନୁହେଁ, ଏକ ଅଭ୍ୟାସ ମଧ୍ୟ।
ବହିରୁ ପଢ଼ାନ୍ତୁ
ପିଲାଙ୍କୁ ବହି ସହ ଯୋଡ଼ିବାର ସବୁଠାରୁ ଉତ୍ତମ ଉପାୟ ହେଉଛି ଟେକ୍ସଟ୍ ବୁକ୍କୁ ଅଧିକ ସମୟ ନ ନେଇ ଛୋଟ ଛୋଟ ଭାଗରେ ପଢ଼ାଇବା। ଏହା ଦ୍ୱାରା ପିଲା ବିରକ୍ତ ହେବ ନାହିଁ ଏବଂ ତାଙ୍କର ଆଗ୍ରହ ମଧ୍ୟ ବଜାୟ ରହିବ।
ଏପରି କରନ୍ତୁ ସାହାଯ୍ୟ
କୌଣସି ଅଧ୍ୟାୟର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ରଙ୍ଗୀନ ସ୍କେଚ୍ ପେନ୍ରେ ଲେଖି ଫ୍ରିଜ୍, କାନ୍ଥ କିମ୍ବା ନୋଟିସ ବୋର୍ଡରେ ଚିପକାଇ ଦିଅନ୍ତୁ। ଏହି ନୋଟ୍ସଗୁଡ଼ିକ ବାରମ୍ବାର ଆଖିରେ ପଡ଼ିବା ଦ୍ୱାରା ସେଗୁଡ଼ିକ ସହଜରେ ମନେ ରହିଯିବ ଏବଂ ବାରମ୍ବାର ରିଭିଜନ୍ ମଧ୍ୟ ହୋଇଯିବ।
ଏହି ସରଳ ଉପାୟଗୁଡ଼ିକ ଅବଲମ୍ବନ କରି ପିଲାଙ୍କୁ ସେଲ୍ଫ୍ ଷ୍ଟଡିର ଅଭ୍ୟାସ ଲଗାଇ ସେମାନଙ୍କୁ ସ୍ମାର୍ଟ ଓ ସ୍ୱାବଲମ୍ବୀ କରାଯାଇପାରିବ। ଏହା ଦ୍ୱାରା ଟ୍ୟୁସନ୍ କିମ୍ବା କୋଚିଂର ଆବଶ୍ୟକତା କମିବ ଏବଂ ପିଲା ନିଜେ ପଢ଼ି ନିଜର ଲକ୍ଷ୍ୟ ହାସଲ କରିପାରିବ।