ନୂଆଦିଲ୍ଲୀ: ଭାରତରେ ଲୁଚିଛନ୍ତି ବାଂଲାଦେଶୀ। କେତେବେଳେ ନିଜର ଭୁଲ ପ୍ରମାଣ ପତ୍ର ଦେଖାଇ ତ ଆଉ କେତେବେଳେ କିଛି ଆଳରେ ଭାରତରେ ରହୁଛନ୍ତି ବାଂଲାଦେଶୀ। ହେଲେ ଏବେ ଏକ ଘଟଣା ସାମ୍ନାକୁ ଆସିଛି କି, କିନ୍ନର ବେଶରେ ଭାରତରେ ରହୁଛନ୍ତି ବାଂଲାଦେଶୀ।
ତାହା ପୁଣି ବର୍ଷ ବର୍ଷ ଧରି। ହଁ ଆଜ୍ଞା ଭୋପାଳ ପୋଲିସ ଜଣେ ବାଂଲାଦେଶୀ ନାଗରିକଙ୍କୁ ଏବେ ଅଟକ ରଖିଛି। ଯିଏ ୨୦ ବର୍ଷ ହେବ ଭୋପାଳରେ କିନ୍ନର ବେଶରେ ରହି ଆସୁଥିଲେ।
କିନ୍ନର ବେଶରେ ବାଂଲାଦେଶୀ: ଭାରତରେ ରହୁଥିବା ଏହି ବାଂଲାଦେଶୀ ନାଗରିକଙ୍କ ପ୍ରକୃତ ନାମ ହେଉଛି ଅବଦୁଲ କଲାମ। ହେଲେ ବ୍ୟକ୍ତି ଜଣକ ନିଜର ପ୍ରକୃତ ପରିଚୟ ଲୁଚାଇ ନେହା କିନ୍ନର ନାମରେ ଭାରତରେ ରହୁଥିଲେ।
ପୋଲିସ କହିଛି କି, କଲାମ ୧୭ ବର୍ଷ ବୟସରେ ଭାରତ ଆସିଥିଲେ। ଏହାପରେ ତାଙ୍କର ବାଂଲାଦେଶୀ ନାଗରିକତା ଲୁଚାଇବା ପାଇଁ ଜାଲ ଭାରତୀୟ କାଗଜପତ୍ରକୁ କରିଥିଲେ।
ସୂଚନାନୂସାରେ, କଲାମ ଭୋପାଳର ମଙ୍ଗଳୱାଡା ଏବଂ ବୁଧୱାଡା ଅଞ୍ଚଳକୁ ଆସିବା ପୂର୍ବରୁ ମହାରାଷ୍ଟ୍ରରେ ରହୁଥିଲେ। ସେ ଭାରତୀୟ ନାଗରିକତାର ପରିଚୟ ଦେବାକୁ ଯାଏ ଜାଲ ସାର୍ଟିଫିକେଟ୍ ତିଆରି କରିଥିଲେ।
ଯେପରିକି ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ଭଳି ଡକ୍ୟୁମେଣ୍ଟ କରି ନକଲି ପରିଚୟ ଦେଇ ଭାରତର ନାଗରିକ ହୋଇଯାଇଥିଲେ।
ବାଂଲାଦେଶ ପଠାଇବାକୁ ପ୍ରସ୍ତୁତି: ପୋଲିସ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା ଯେ, ନେହା ଜଣେ ବାଂଲାଦେଶୀ ନାଗରିକ। ଏବଂ ବୈଧ କାଗଜପତ୍ର ବିନା ଭାରତରେ ରହୁଛନ୍ତି।
ଏହା ପରେ ତଲାଇୟା ପୋଲିସ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ତାଙ୍କୁ ଅଟକ ରଖି ପଚରାଉଚରା ସମୟରେ ତାଙ୍କର ଅପରାଧିକ ଚିଠା ମଧ୍ୟ ସାମ୍ନାକୁ ଆସିଥିଲା।
୨୦୧୯ ମସିହାରେ ଏମପି ନଗର ପୋଲିସ ଷ୍ଟେସନରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା। ଭୋପାଳ ପୋଲିସ କମିଶନର କହିଛନ୍ତି ଯେ ସହରରେ ଅବୈଧ ଭାବରେ ରହୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଏକ ଯାଞ୍ଚ ଅଭିଯାନ ଚାଲିଛି।
ଯଦିଓ ନେହା କିନ୍ନର ଓରଫ ଅବଦୁଲ କଲାମଙ୍କ ନିର୍ବାସନ ନିର୍ଦ୍ଦେଶ ଏପର୍ଯ୍ୟନ୍ତ ଜାରି ହୋଇନାହିଁ। ତଦନ୍ତ ସମାପ୍ତ ହେବା ପରେ ତାଙ୍କୁ ବାଂଲାଦେଶ ପଠାଇବାକୁ ପ୍ରସ୍ତୁତି କରାଯିବ।