କେନ୍ଦୁଝର: ଭିଜିଲାନ୍ସ ଜାଲରେ DFO ନିତ୍ୟାନନ୍ଦ ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କଲା ଭିଜିଲାନ୍ସ। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର ଅର୍ଥାତ୍ ଜୁଲାଇ ୨୦ ରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ୍ତ ସମ୍ପତ୍ତି (DA) ଅଭିଯୋଗରେ ଅନୁସନ୍ଧାନ ଆରମ୍ଭ ହୋଇଛି।
ଭିଜିଲାନ୍ସ ଚଢ଼ାଉ ସମୟରେ ଜଣାପଡ଼ିଛି ଯେ, ନିତ୍ୟାନନ୍ଦ ନାୟକଙ୍କ ନାମରେ ୫୩ଟି, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି, ଦୁଇ ପୁଅଙ୍କ ନାମରେ ୧୬ଟି ଏବଂ ଝିଅଙ୍କ ନାମରେ ୪ଟି ପ୍ଲଟ୍ ରହିଛି। ଏହା ସହ, ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ଏକ ଚାରି ମହଲା କୋଠା ମଧ୍ୟ ଠାବ ହୋଇଛି। ତଦନ୍ତ ସମୟରେ ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।
ଏହି ତଦନ୍ତ କେନ୍ଦୁଝର, ଅନୁଗୁଳ ଓ ନୟାଗଡ଼ ଜିଲ୍ଲାରେ ଥିବା ତାଙ୍କର ୭ଟି ସ୍ଥାନରେ ଏକକାଳୀନ ଚାଲିଛି। ଏହି ଅଭିଯାନ ଭିଜିଲାନ୍ସର ୩ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ଦ୍ୱାରା କେନ୍ଦୁଝର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚାଲିଛି।
ତଦନ୍ତ ଚାଲିଥିବା ସ୍ଥାନଗୁଡ଼ିକ ହେଉଛି:
ଅନୁଗୁଳରେ ଥିବା ଏକ ଚାରି ମହଲା ବିଶିଷ୍ଟ ବିଲଡିଂ।
ଅନୁଗୁଳ ଜିଲାର ବଣ୍ଟାଳା ଥାନା ଅଧୀନ ମଦନମୋହନ ପଟଣା ଗ୍ରାମରେ ତାଙ୍କର ପୈତୃକ ଘର।
ଅନୁଗୁଳ ଜଗନ୍ନାଥପୁରରେ ତାଙ୍କ ଶଶୁର ଘର।
କେନ୍ଦୁଝରରେ ଥିବା ଡିଏଫଓ, କେନ୍ଦୁ ପତ୍ର ଡିଭିଜନର ଅଫିସ।
କେନ୍ଦୁଝରରେ ତାଙ୍କର ସରକାରୀ ବାସଭବନ।
ନୟାଗଡ଼ ଜିଲାର କୋମଣ୍ଡାରେ ତାଙ୍କ ପୁଅଙ୍କ ବାସଗୃହ।
ନୟାଗଡ଼ ଜିଲାର ନୂଆ-କୋମଣ୍ଡାରେ ତାଙ୍କ ପୁଅଙ୍କ ଅଫିସ ଚାମ୍ବର (PHC)।