ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଶ୍ରୀଜଗନ୍ନାଥଙ୍କ ‘ନବକଳେବର’ ଫିଲ୍ମ
ରାଷ୍ଟ୍ରପତି ଭବନରେ ଶ୍ରୀଜଗନ୍ନାଥଙ୍କ ନବକଳେବର ଫିଲ୍ମ
ନୂଆଦିଲ୍ଲୀ: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ରବିବାର ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହୋଇଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ଚଳଚ୍ଚିତ୍ରକୁ ଦେଖିଥିଲେ।
ଏହି ଅବସର ପାଇଁ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଚଳଚ୍ଚିତ୍ରର ସମସ୍ତ ଟିମ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ସହ ଚଳଚ୍ଚିତ୍ରର ଉପଦେଷ୍ଟା ବିଭୁପ୍ରସାଦ ମହାପାତ୍ର, ମେଜର ଜେନେରାଲ ଭୁଦେବ ପରିଡ଼ା, ରାଷ୍ଟ୍ରପତିଙ୍କ ସାମରିକ ସଚିବ ବିଜୟ ନାୟକ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ୍ ସଚିବ ଜ୍ଞାନ ରଞ୍ଜନ ନନ୍ଦ, ରାଷ୍ଟ୍ରପତିଙ୍କ ସଚିବ ଶ୍ରୀମତୀ ଦୀପ୍ତି ଉମାଶଙ୍କର, ପ୍ରେସ୍ ସଚିବ ଅଜୟ କୁମାର ସିଂହ, ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ ସୁନୀଲ କୁମାର ତ୍ରିବେଦୀ, କ୍ୟାପ୍ଟେନ୍ ରବନୀତ ସିଂହ ରନ୍ଧାୱା, କର୍ଣ୍ଣେଲ (ଡକ୍ଟର) କିରଣ କୁମାର କମ୍ପେଲା, ଶ୍ରୀମତୀ ଦେବସ୍ୱେତା ବଣିକ (ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ), ଡକ୍ଟର ସୁନିଶ ଏସ. (ଆଇଏଫଏସ) ଏବଂ ଓଡ଼ିଶାର ସାଂସଦ ମୁନା ଖାଁ ଉପସ୍ଥିତ ଥିଲେ।
ଚଳଚ୍ଚିତ୍ରର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ବିତରକ ପ୍ରକାଶ ଫିଲ୍ମସର ନିର୍ଦ୍ଦେଶକ ସଚ୍ଚିକାନ୍ତ ଜେନା, ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, କାହାଣୀ ଓ ସଂଳାପକାର ଶଙ୍କର ତ୍ରିପାଠୀ ଏବଂ ମୁଖ୍ୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନୀ ସଙ୍ଗୀତା, ପିଙ୍କି ପ୍ରଧାନ ଓ ଅଂଶୁମାନଙ୍କ ସମେତ ଅନ୍ୟ କଳାକାରମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ଆଶୀର୍ବାଦରେ ନିର୍ମିତ ଏହି ଚଳଚ୍ଚିତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମ୍ପର୍କିତ ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶନ କରୁଛି। ଫିଲ୍ମଟି ଦେଖି ଉପସ୍ଥିତ ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମ୍କୁ ମହାମହିମ ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ।