‘ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି’: ଦିଲ୍ଲୀ ଏମ୍‌ସର ହେଲଥ୍ ବୁଲେଟିନ୍‌

ବଳଙ୍ଗା ପୀଡ଼ିତା ଗୁରୁତର: ଦିଲ୍ଲୀ ଏମ୍ସ

ଭୁବନେଶ୍ୱର: ପୁରୀ ବଳଙ୍ଗା ପୀଡ଼ିତା ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେବା ନେଇ ସୂଚନା ଜାରି କରାଯାଇଛି। ଦିଲ୍ଲୀ ଏମସର ହେଲ୍‌ଥ ବୁଲେଟିନ୍ ଅନୁଯାୟୀ, ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଦିଲ୍ଲୀ ଏମସର ବର୍ଣ୍ଣ ଆଇସିୟୁରେ ତାଙ୍କୁ ରଖାଯାଇଛି।

ପୀଡ଼ିତାଙ୍କର ବର୍ଣ୍ଣ ଏବଂ ପ୍ଲାଷ୍ଟିକ ସର୍ଜରି ବ୍ଲକରେ ଚିକିତ୍ସା ଚାଲିଛି। ଅକ୍ସିଜେନ ସପୋର୍ଟରେ ପୀଡ଼ିତା ଅଛନ୍ତି। ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ୭୫% ଜଳି ଯାଇଥିବା ଜଣେ ରୋଗୀ ଆସିଛନ୍ତି। ଭୁବନେଶ୍ୱର ଏମସରୁ ଦିଲ୍ଲୀକୁ ଅଣାଯାଇଛି ବୋଲି ଦିଲ୍ଲୀ ଏମସର ହେଲ୍‌ଥ ବୁଲେଟିନରେ ପ୍ରକାଶ ପାଇଛି।

ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡିତାଙ୍କର ଆଜି ଏୟାରଲିଫ୍ଟ ହୋଇଥିଲା। ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଛନ୍ତି ପୀଡିତା।

ସୂଚନାନୂସାରେ, ୧୯ ତାରିଖ ଅର୍ଥାତ୍ ଶନିବାର ସକାଳ ପ୍ରାୟ ୭ ଟାରୁ ୮ଟା ସମୟରେ ବଳଙ୍ଗାର ଜଣେ ନାବାଳିକା ଝିଅ ଗାଁର ନଦୀ ବନ୍ଧ ଦେଇ ସାଙ୍ଗ ଘରୁ ଫେରୁଥିଲେ।

ସାଙ୍ଗ ପାଖକୁ ବହି ଆଣିବାକୁ ଯାଇ ଫେରିବା ସମୟରେ ରାସ୍ତା ଉପରୁ ୩ ଜଣ ଅଜଣା ବ୍ୟକ୍ତି ଝିଅର ମୁହଁରେ ରୁମାଲ ଦେଇ ତାଙ୍କୁ ବେହୋସ୍ କରି ନଦୀ ପଠାକୁ ଉଠାଇ ନେଇଥିଲେ।

ପରେ ତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଯେତେବେଳେ ପୀଡିତାଙ୍କ ଦେହରେ ନିଆଁ ଲାଗିଗଲା ତାଙ୍କ ହୋସ୍ ଫେରିଆସିଥିଲା, ସେହି ସମୟରେ ସେ ନିଜ ଜୀବନ ବଞ୍ଚାଇବା ପାଇଁ ପାଖରେ ଥିବା ଏକ ଘର ପାଖକୁ ଜଳନ୍ତା ଅବସ୍ଥାରେ ଦୌଡ଼ି ଦୌଡ଼ି ଯାଇଥିଲେ।

ପରେ ସେହି ଘରର ଲୋକ ତାଙ୍କ ଦେହରୁ ନିଆଁ ଲିଭାଇବା ସହ ପ୍ରାଥମିକ ଚିକିତ୍ସା କରିଥିଲେ। ଏହାପରେ ପୀଡିତାଙ୍କୁ ଭୁବନେଶ୍ୱର ଏମ୍ସକୁ ପଠାଯାଇଥିଲା।