Breaking: ଟେଷ୍ଟ୍ କ୍ରିକେଟରୁ ଅବସର ନେବେ ବୁମରାହ ! ରହିଛି ଏହି ବଡ଼ କାରଣ

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର । ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇପାରନ୍ତି ଜସପ୍ରିତ ବୁମରାହ ।

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଆସିଲା ବଡ଼ ଖବର । ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇପାରନ୍ତି ଜସପ୍ରିତ ବୁମରାହ । ଟିମ୍ ଇଣ୍ଡିଆର ଜଣେ ପୂର୍ବତନ କ୍ରିକେଟର ଏନେଇ ଦାବି କରିଛନ୍ତି । ସେ ଏହାର କାରଣ ମଧ୍ୟ ଦେଇଛନ୍ତି ।

ଲର୍ଡସ୍ ଟେଷ୍ଟ ମ୍ୟାଚ୍‌ରେ ୭ ୱିକେଟ୍ ନେଇଥିବା ଭାରତୀୟ ଦଳର ଏହି ଦ୍ରୁତ ବୋଲର ମାଞ୍ଚେଷ୍ଟର ଟେଷ୍ଟ ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଛନ୍ତି। ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଜସପ୍ରିତ ବୁମରାହ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ କେବଳ ଗୋଟିଏ ୱିକେଟ୍ ନେଇପାରିଛନ୍ତି। ସେ ନିଜ ଲକ୍ଷ ପାଇଁ ଚେଷ୍ଟା କରୁଥିବା ନଜର ଆସିଛନ୍ତି । କିନ୍ତୁ ଏହା ସତ୍ତ୍ବେ ସେ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉ ନଥିଲେ । ଯାହା କାରଣରୁ ସେ ପୂର୍ଣ୍ଣ ଗତିରେ ବୋଲିଂ କରିପାରୁ ନାହାଁନ୍ତି। ଏବେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।

ମହମ୍ମଦ କୈଫ୍ ଦାବି କରିଛନ୍ତି

ଜସପ୍ରିତ ବୁମରାହଙ୍କ ବିଷୟରେ ପୂର୍ବତନ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ମହମ୍ମଦ କୈଫ୍ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ବୁମରାହ ଖୁବ୍ ଶୀଘ୍ର ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି। ସେ କହିଛନ୍ତି ଯେ , “ଆଘାତ ଯୋଗୁଁ ବୁମରାହ ଏବେ ଠିକ ଭାବରେ ଖେଳିପାରୁ ନାହାଁନ୍ତି। ବୁମରାହ ଜଣେ ସ୍ବାଭିମାନୀ ବ୍ୟକ୍ତି, ଯଦି ସେ ଅନୁଭବ କରନ୍ତି ଯେ, ସେ ନିଜର ଶତ ପ୍ରତିଶତ ଦେଇପାରୁନାହାଁନ୍ତି ଏବଂ ଦେଶ ପାଇଁ ମ୍ୟାଚ୍ ଜିତିପାରିବେ ନାହିଁ ।ତେବେ ସେ ନିଜେ ଖେଳିବାକୁ ମନା କରିଦେବେ ବୋଲି ମୁଁ ଭାବୁଛି”।

ଯଦି ବୁମରାହ ଫିଟ୍ ରୁହନ୍ତି, ତେବେ ସେ ଯେତେବେଳେ ଚାହିଁବେ ୱିକେଟ୍ ନେଇପାରିବେ। କୈଫ୍ କହିଛନ୍ତି, “ବୁମରାଙ୍କ ପାଖରେ ଏବେ ବି ଦେଶ ପାଇଁ ଖେଳିବାର ସମାନ ଆଗ୍ରହ ଅଛି, କିନ୍ତୁ ସେ ତାଙ୍କ ଶରୀର ଏବଂ ଫିଟନେସ ଆଗରେ ହାରିଯାଇଛନ୍ତି। ତାଙ୍କ BODY  ଏବେ ତାଙ୍କୁ ସାଥ ଦଉନି। ଏପରି ପରିସ୍ଥିତିରେ, ସେ ଟେଷ୍ଟ କ୍ରିକେଟ୍ ଖେଳିବାକୁ ମନା କରିପାରନ୍ତି ବୋଲି କୈଫ୍ କହିଛନ୍ତି “।