୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ୨୭ ତାରିଖ ଯାଏଁ ଲାଗି ରହିବ ବର୍ଷା, ଆଜି ଦିନସାରା ଛେଚିବ

ଆଜି ଦିନସାରା ଜନଜୀବନ ଅସ୍ତବ୍ୟସ୍ତ କରିପକାଇବ ବର୍ଷା।

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରର ପ୍ରଭାବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଜି ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦିନସାରା ଲାଗି ରହିବ ବର୍ଷା। ବିଶେଷ କରି ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ତାସହ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ଆଲର୍ଟ ଜାରି ହୋଇଛି।  ଏହି ସମୟରେ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଯେହେତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଆସନ୍ତା ୨୭ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।