ଓଡିଶାଭାସ୍କର: ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ସେପ୍ଟେମ୍ୱର ୧୪ ତାରିଖରେ ଏସିଆ କପ୍ ୨୦୨୫ର ସବୁଠୁ ବଡ଼ ମୁକାବିଲା ହେବ। ଦୁବାଇରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଇଣ୍ଡିଆ-ପାକିସ୍ତାନ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି।
ଯଦି ଦେଖିବା ୧୯୮୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ମ୍ୟାଚ୍ ଖେଳା ଆରମ୍ଭ ହୋଇଥିଲା। ଏହାପରେ ୧୬ ଥର ଏସିଆ କପ୍ ମ୍ୟାଚ୍ ଖେଳା ଗଲାଣି। ଆଉ ଏହି ୧୬ଟି ମ୍ୟାଚ୍ ମଧ୍ୟରୁ ଇଣ୍ଡିଆ ସର୍ବାଧିକ ଥର ବା ୮ ଥର ଏସିଆ କପ୍ ଚାମ୍ପିଅନ ହୋଇଛି। ଯେତେବେଳେ କି ଦଳ ତିନି ଥର ରନର୍ସଅପ୍ ହୋଇଛି।
ହେଲେ ପାକିସ୍ତାନ କେବଳ ୨ ଥର ଏହି ଟାଇଟଲ୍ ଜିତିଛି। ଏବଂ ୩ ଥର ରନର୍ସଅପ୍ ହୋଇଛି। ଏହି ସମୟରେ ଉଭୟ ଦଳ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି।
ଏହି ଦୁଇ ଦଳ ଏହି ଟୁର୍ଣ୍ଣାମେଣ୍ଟରେ କେବେ ମ୍ୟାଚ୍ ଖେଳିପାରି ନାହାଁନ୍ତି। ଯାହା ପାଇଁ ପ୍ରତ୍ୟେକ ପ୍ରଶଂସକ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି। ତେଣୁ ପ୍ରଶ୍ନ ଉଠୁଛି କ’ଣ ଏହି ଦୁଇ ଦଳ ଏଥର ଏହି ଇତିହାସ ବଦଳାଇ ପାରିବେ?
ଭାରତ-ପାକିସ୍ତାନ କେବେ ଫାଇନାଲରେ ମୁହାଁମୁହିଁ ହୋଇନାହାଁନ୍ତି:
ଏସିଆ କପ୍ ଚଳିତ ବର୍ଷ ପାଇଁ ୧୭ତମ ଥର ପାଇଁ ଖେଳାଯାଉଛି। ଏହି ସମୟ ମଧ୍ୟରେ ଉଭୟ ଦଳ ଏହି ଟୁର୍ଣ୍ଣାମେଣ୍ଟକୁ ଥରେ ଲେଖାଏଁ ବୟକଟ କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଉଭୟ ଦଳ ଏସିଆ କପରେ ପରସ୍ପର ବିପକ୍ଷରେ କେବେ ଫାଇନାଲ ଖେଳି ନାହାଁନ୍ତି।
ଟିମ୍ ଇଣ୍ଡିଆ ୧୫ ଥରରୁ ୮ ଥର (୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦, ୨୦୧୬, ୨୦୧୮, ୨୦୨୩) ଏହି ଟାଇଟଲ ଜିତିଛି। ଯେତେବେଳେ ଫାଇନାଲରେ ଏହା ତିନିଥର ପରାଜୟର ସମ୍ମୁଖୀନ ହୋଇଛି। ଭାରତ କେବଳ ୪ ଥର ଫାଇନାଲରେ ପ୍ରବେଶ କରିପାରି ନାହିଁ।
ପାକିସ୍ତାନ ଏପର୍ଯ୍ୟନ୍ତ କେବଳ ଦୁଇଥର ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଦଳ ୨୦୦୦ ମସିହାରେ ଶ୍ରୀଲଙ୍କାକୁ ଏବଂ ୨୦୧୨ ମସିହାରେ ବାଂଲାଦେଶକୁ ଫାଇନାଲରେ ପରାସ୍ତ କରି ଟାଇଟଲ ଜିତିଥିଲା।
ଆଉ ପାକିସ୍ତାନର ଦଳ ତିନିଥର ଉପବିଜେତା ହୋଇଛି, କିନ୍ତୁ ଭାରତ ଏବଂ ପାକିସ୍ତାନ ଏସିଆ କପର ଫାଇନାଲରେ କେବେ ପରସ୍ପର ବିପକ୍ଷରେ ଖେଳି ନାହାଁନ୍ତି। ଗତ ୧୦ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ସ୍ଥାନ ପାଇଛି।
ଗତ ୧୦ ବର୍ଷ ମଧ୍ୟରେ ଭାରତର ଭୂମିକା:
ଗତ ୧୦ ବର୍ଷ ମଧ୍ୟରେ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହି ସମୟ ମଧ୍ୟରେ ପାକିସ୍ତାନ ୭ଟି ମ୍ୟାଚ୍ ମଧ୍ୟରୁ କେବଳ ଗୋଟିଏ ମ୍ୟାଚ୍ ଜିତିଛି, ଯେତେବେଳେ କି ଟିମ୍ ଇଣ୍ଡିଆ ୫ଟି ମ୍ୟାଚ୍ ଜିତିଛି।
ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। ଏସିଆ କପର ଟି-୨୦ ଫର୍ମାଟରେ ଭାରତ ଏବଂ ପାକିସ୍ତାନ ତିନିଥର ମୁହାଁମୁହିଁ ହୋଇଛନ୍ତି। ଏଥିମଧ୍ୟରୁ ଭାରତ ଦୁଇଟି ଜିତିଛି ପାକିସ୍ତାନ ଗୋଟିଏ ଜିତିଛି।
୨୦୧୬ ମସିହାରେ ମୀରପୁରରେ ପ୍ରଥମ ଥର ପାଇଁ ଟି-୨୦ ଏସିଆ କପରେ ଉଭୟ ଦଳ ପରସ୍ପର ବିପକ୍ଷରେ ଖେଳିଥିଲେ। ଭାରତ ଏହି ମ୍ୟାଚ୍ ୫ ୱିକେଟରେ ଜିତିଥିଲା।
୨୦୨୨ ମସିହାରେ ଦୁବାଇରେ ଉଭୟଙ୍କ ମଧ୍ୟରେ ଦୁଇଟି ଟି-୨୦ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ ଭାରତ ଜିତିଥିଲା ଏବଂ ଦ୍ୱିତୀୟ ମ୍ୟାଚ୍ ପାକିସ୍ତାନ ଜିତିଥିଲା।
ଏହା ମଧ୍ୟ ଗତ ୧୦ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ଉପରେ ପାକିସ୍ତାନର ଏକମାତ୍ର ବିଜୟ ଥିଲା। ଏସିଆ କପରେ ଉଭୟ ଦଳ ଏପର୍ଯ୍ୟନ୍ତ ୧୮ ଥର ମୁହାଁମୁହିଁ ହୋଇଛନ୍ତି। ଏଥିମଧ୍ୟରୁ ଟିମ୍ ଇଣ୍ଡିଆ ୧୦ଟି ଜିତିଛି। ପାକିସ୍ତାନ ୬ଟି ମ୍ୟାଚରେ ସଫଳ ହୋଇଛି। ଦୁଇଟି ମ୍ୟାଚ୍ ବାତିଲ ହୋଇଥିଲା।