ଫସର ଫାଟିଲା ପାକିସ୍ତାନ ଖେଳାଳିଙ୍କ ଭବିଷ୍ୟବାଣୀ, ଖାତା ଖୋଲି ପାରିଲେନି ଏହି ଖେଳାଳି 

ଓମାନ ବିପକ୍ଷରେ ପ୍ରଥମ ବଲ୍ ରେ ମଧ୍ୟ ଆଉଟ୍ ହୋଇଥିଲେ।

ଓଡ଼ିଶାଭାସ୍କର: ୨୦୨୫ ଏସିଆ କପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍ ଦୁବାଇରେ ଖେଳାଯାଉଛି। ଯେତେବେଳେ ପାକିସ୍ତାନୀ ଅଧିନାୟକ ସଲମାନ ଆଗା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଏହା ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବାର ନିଷ୍ପତ୍ତି ଥିଲା।

କାରଣ ୨୦୨୧ ପରେ, ଦୁବାଇରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ପ୍ରତିଶତ ବହୁତ ଖରାପ। ପାକ୍ ଦଳର ପରବର୍ତ୍ତୀ ସୁପରଷ୍ଟାର ଖେଳାଳି କୁହାଯାଉଥିବା ସାମ୍ ଆୟୁବ ଲଗାତାର ଦ୍ୱିତୀୟ ମ୍ୟାଚ୍ ପାଇଁ ଗୋଲଡେନ୍ ଡକ୍‌ର ଶିକାର ହୋଇଛନ୍ତି।

ମ୍ୟାଚ୍ ର ପ୍ରଥମ ଅଫିସିଆଲ୍ ବଲ୍ ରେ ‘୦’ ସ୍କୋରରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଆଉଟ୍ କରିଥିଲେ। ଏହା ପୂର୍ବରୁ, ସେ ଓମାନ ବିପକ୍ଷରେ ପ୍ରଥମ ବଲ୍ ରେ ମଧ୍ୟ ଆଉଟ୍ ହୋଇଥିଲେ।

ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ। ଯିଏ ଆରମ୍ଭରୁ ସ୍ୱିଙ୍ଗ୍ ପାଉଥିଲେ। ପ୍ରଥମ ବଲ୍ ୱାଇଡ୍ ଥିଲା, କିନ୍ତୁ ପାଣ୍ଡ୍ୟା ଦ୍ୱିତୀୟ ବଲ୍ କୁ ଅଫ୍‌-ଷ୍ଟମ୍ପ ବାହାରେ ଆଉଟସୁଇଙ୍ଗ୍ ବଲ୍ ଭାବରେ ବୋଲିଂ କରିଥିଲେ। ଯାହା ଉପରେ ସାମ୍ ଆୟୁବ ତାଙ୍କ ବ୍ୟାଟ୍ ରଖିଥିଲେ ଏବଂ ବଲ୍ ସିଧା ଜସପ୍ରିତ ବୁମରାହଙ୍କ ହାତରେ ଚାଲିଯାଇଥିଲା।

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଇତିହାସରେ ଲଗାତାର ଇନିଂସରେ ଗୋଲଡେନ୍ ଡକ୍ ଶିକାର ହୋଇଥିବା ଖେଳାଳିଙ୍କ ତାଲିକାରେ ସାମ ଆୟୁବଙ୍କ ନାମ ଯୋଡା ହୋଇଛି।

ଅନ୍ତର୍ଜାତୀୟ ଟି-୨୦ କ୍ରିକ୍ରେଟ୍ ସର୍ବାଧିକ ଥର ଗୋଲଡେନ୍ ଡକ୍‌ରେ ଆଉଟ୍ ହେବାର ରେକର୍ଡ ପାକିସ୍ତାନର ଅବଦୁଲ୍ଲା ଶଫିକ୍‌ଙ୍କ ନାମରେ ଅଛି। ଯିଏ ଲଗାତାର ଚାରି ଥର ଟି-୨୦ ଇନିଂସରେ ଗୋଲଡେନ୍ ଡକ୍ ରେ ଆଉଟ୍ ହୋଇଥିଲେ।

ପୂର୍ବତନ ପାକିସ୍ତାନୀ କ୍ରିକେଟର୍ ତନବୀର ଅହମ୍ମଦ ଭବିଷ୍ୟବାଣୀ କରିଥିଲେ ଯେ ଏସିଆ କପ୍‌ରେ ସାମ ଆୟୁବ ଜସପ୍ରିତ ବୁମରାହଙ୍କ ବଲରେ ୬ ଛକା ମାରିବେ। ୬ ଛକା କଥା ଦୂରର କଥା ତାଙ୍କୁ ବୁମରାହଙ୍କ ସାମ୍ନାକୁ ଆସିବାର ସୁଯୋଗ ମଧ୍ୟ ମିଳିନାହିଁ।

ଆୟୁବ ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ବଲ୍ ଖେଳିଛନ୍ତି, ୦ ରନ୍ କରିଛନ୍ତି ଏବଂ ଉଭୟ ଥର ‘ଶୂନ୍ୟ’ ରେ ଆଉଟ୍ ହୋଇଛନ୍ତି।