ଆସାମ: ସିଭିଲ ସର୍ଭିସରୁ କୋଟି କୋଟି ଟଙ୍କାର ମାଲିକାଣୀ। ତାହା ପୁଣି ମାତ୍ର ୫ ବର୍ଷରେ। ସୋଉକିଆ ସିଭିଲ ସର୍ଭିସ (ACS)ର ଜଣେ ମହିଳା ଅଧିକାରୀ। ନାଁ ନୁପୁର ବୋରା ବୟସ ୩୬ ବର୍ଷ। ହେଲେ ଏବେ ସେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ହେଲେ ତାଙ୍କ କାମ ପାଇଁ ନୁହେଁ ବରଂ ସର୍ବଗିଳା କଳାଧନ ଲୁଟ୍ ପାଇଁ। ଅର୍ଥାତ୍ ଏହି ମ୍ୟାଡାମଙ୍କର ଚାକିରୀ ମାତ୍ର ୫ ବର୍ଷର ହେଲେ କୋଟି କୋଟି ଟଙ୍କାର ସେ ମାଲିକାଣି।
ଘରୁ ତାଙ୍କର ୯୨ ଲକ୍ଷ ନଗଦ ୨ କୋଟିର ସୁନା ଅଳଙ୍କାର ମିଳିଛି। ତେବେ ଆସନ୍ତୁ ଜାଣିବା ACS ମ୍ୟାଡାମ୍ ଏତେ କମ୍ ଦିନରେ କିପରି ଏତେ କୋଟିର ମାଲିକାଣୀ ହେଲେ।
କୋଟିପତି ACS ମ୍ୟାଡାମ୍: ତେବେ ଆସାମ ସିଭିଲ୍ ସର୍ଭିସ୍ (ACS)ର ଜଣେ ମହିଳା ଅଧିକାରୀ ନୁପୁର ବୋରାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ତଦନ୍ତ ସମୟରେ ତାଙ୍କ ଘରୁ ଆୟ ବହିର୍ଭୂତ ସମ୍ପତ୍ତି ମିଳିଛି।
ନୁପୁର ବୋରା ୨୦୧୯ ବ୍ୟାଚ୍ ଅଧିକାରୀ। ସେ ଗତ ଛଅ ମାସ ହେବ ଭିଜିଲାନ୍ସ ନଜରରେ ଥିଲେ। ତାଙ୍କ ଉପରେ ଜମି କାରବାର ଆତ୍ମସାତ ଏବଂ ବିପୁଳ ପରିମାଣର ଟଙ୍କା ଲାଞ୍ଚ ନେବା ଅଭିଯୋଗ ରହିଛି।
ଏହି ଆଧାରରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଥିଲା। ଯେଉଁଥିରେ ପୋଲିସ ବିପୁଳ ପରିମାଣରେ ନଗଦ ଟଙ୍କା ସହ ସୁନା ଅଳଙ୍କାର ମଧ୍ୟ ଜବତ କରିଛି।
ଚଢାଉରେ କ’ଣ ମିଳିଛି: ଗୌହାଟୀର ଏକ ଘରୁ ୯୨.୫୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ପ୍ରାୟ ୧.୫ କୋଟି ମୂଲ୍ୟର ଅଳଙ୍କାର ମଧ୍ୟ ଜବତ ହୋଇଛି। ଏହାସହ ବାରପେଟାର ଏକ ଭଡା ଘରୁ ୧୦ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି।
ମାତ୍ର ପାଞ୍ଚ ବର୍ଷର ଚାକିରିରେ ଏହି ଅଧିକାରୀ ଯେଉଁ ବିପୁଳ ସମ୍ପତ୍ତି ସଂଗ୍ରହ କରିଛନ୍ତି ତାହା ସରକାରଙ୍କଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମୁଖ୍ୟମନ୍ତ୍ରୀ କଣ କହିଲେ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ନୁପୁର ବୋରା ବାରପେଟାରେ ସର୍କଲ ଅଫିସର ଭାବରେ କାର୍ଯ୍ୟ କରୁଥିବା ସମୟରେ ହିନ୍ଦୁମାନଙ୍କର ଜମି ସନ୍ଦେହଜନକ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ।
ସେ ଏହା ମଧ୍ୟ କହିଛନ୍ତି ଯେ ଏପରି ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ, ବିଶେଷକରି ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ। ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, “ଆମେ ଜାଣିପାରିଛୁ ଯେ ସେ ତାଙ୍କର ଆୟ ଉତ୍ସ ଅପେକ୍ଷା ୪୦୦ ଗୁଣ ଅଧିକ ସମ୍ପତ୍ତି ସଂଗ୍ରହ କରିଛନ୍ତି”।
“ଆମେ ବିଶ୍ୱାସ କରୁଛୁ ଯେ କେବଳ ନିଲମ୍ବନ କିମ୍ବା ଚାକିରିରୁ ବହିଷ୍କାର ଯଥେଷ୍ଟ ହେବ ନାହିଁ। ଆମକୁ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଦଣ୍ଡ ସୁନିଶ୍ଚିତ କରିବାକୁ ପଡିବ।” ସେ ଜନସାଧାରଣଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ କୌଣସି ଅଧିକାରୀ ଲାଞ୍ଚ ମାଗୁଛନ୍ତି, ତୁରନ୍ତ ରିପୋର୍ଟ କରନ୍ତୁ।