CHARIDHAM

ରାତି ପାହିଲେ ବିଧାନସଭା: ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ, ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ

ରାତି ପାହିଲେ ବିଧାନସଭା। ତେଣୁ ସରକାରଙ୍କୁ​‌ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ।

ଭୁବନେଶ୍ବର: ରାତି ପାହିଲେ ବିଧାନସଭା। ତେଣୁ ସରକାରଙ୍କୁ​‌ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ। ବୁଧବାର ଉଭୟ ବିରୋଧୀ ବୈଠକ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି କଂଗ୍ରେସ ।

ସେପଟେ ବୁଧବାର ସନ୍ଧ୍ୟାରେ ବିଜେଡିର ବିଧାୟକ ଦଳ ବୈଠକ ଶଙ୍ଖଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ କାଲିଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେସନରେ ଦଳର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟରେ ଚାଷୀ, ମହିଳା, SCST, ରଥଯାତ୍ରା ସମୟରେ ଅପାରଗତାକୁ ବିଧାନସଭାରେ ବିଜେଡି ଉଠାଇବ ।

ଏପରିକି ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ମହିଳାମାନଙ୍କ ଉପରେ ଅତ୍ୟାଚାର ଜନିତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପ୍ରତିଦିନ ବଢି ଚାଲିଛି। ରାଜ୍ୟରେ ଏବେ କେହି ନିରାପଦ ନୁହନ୍ତି। ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅପ୍ରାସଙ୍ଗିକ କରିବା ପାଇଁ ରାଜ୍ୟ ସରକାର ଅଫିସରମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧି ସକାଶେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଦୃଢ ବିରୋଧ କରାଯିବ ବୋଲି ନବୀନ କହିଥିଲେ। ଏତଦ୍‌ ବ୍ୟତୀତ ଓଡିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଦଳାଚକଟା ଘଟଣାରେ ମଧ୍ୟ ସରକାରଙ୍କୁ ଜବାବ ଦାବି କରାଯିବ ବୋଲି ସେ କହିଥିଲେ।

ଅନ୍ୟପଟେ କଂଗ୍ରେସ ବିଧାନସଭା ପରିସରସ୍ଥ ବିରୋଧୀ ଦଳ କକ୍ଷରେ ବିଧାୟକ ଦଳ ବୈଠକ କରିଥିଲା। ଏହାର ନେତୃତ୍ଵ ନେଇଥିଲେ କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ପିସିସି ସଭାପତି ଭକ୍ତଚରଣ ଦାସ ଉପସ୍ଥିତ ରହିଥିଲେ। ରାଜ୍ୟ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା, ନାରୀ ନିର୍ଯାତନା ବୃଦ୍ଧି ପାଇଥିବା, ସାର ସଙ୍କଟ ସମେତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଧାନସଭା ଅଧିବେସନରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ବୈଠକରେ ସୂଚନା ଦିଆଯାଇଛି।