ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦି ମୋର ବହୁତ ନିକଟତର, ଆମେ ଭଲ ବନ୍ଧୁ ମଧ୍ୟ; ଟ୍ରମ୍ପ
ଟ୍ରମ୍ପଙ୍କ ମୁହଁରେ ଭାରତର ପ୍ରଶଂସା।
ନୂଆଦିଲ୍ଲୀ: ସୁଧୁରୁଛି ଭାରତ ଏବଂ ଆମେରିକା ସମ୍ପର୍କ। ଯେଉଁ ଟ୍ରମ୍ପ ଦିନେ ଭାରତ ଉପରେ ରାଗ ରଖି ଶୁଳ୍କ ବୃଦ୍ଧି କରିଥିଲେ ଏବଂ ସେହି ଆମେରିକା ରାଷ୍ଟ୍ରପତିଙ୍କ ତୁଣ୍ଡରେ ଭାରତ ଏବଂ ମୋଦିଙ୍କର ପ୍ରଶଂସାର ସୁଅ ଛୁଟୁଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ବ୍ରିଟେନ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି, “ମୁଁ ଭାରତ ଏବଂ ମୋଦିଙ୍କ ସହିତ ବହୁତ ନିକଟତର, ଆମର ବହୁତ ଭଲ ବନ୍ଧୁତା ଅଛି।”
ଭାରତର ରୁଷ ତୈଳ ବାଣିଜ୍ୟ ଉପରେ ବାରମ୍ବାର କଡ଼ା ମନ୍ତବ୍ୟ ଦେବା ପରେ ଆମେରିକା ରାଷ୍ଟ୍ରପତିଙ୍କର ଏବେ ମନ୍ତବ୍ୟ ବଦଳିଛି। ପୂର୍ବରୁ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବା ପରେ ଟ୍ରମ୍ପ ଭାରତଠାରୁ ନିଜକୁ ଦୂରେଇ ରଖୁଥିବା ପରି ମନେ ହେଉଥିଲା, କିନ୍ତୁ ଏହି ବିବୃତ୍ତି ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କକୁ ଉଜ୍ଜ୍ୱଳ କରିଛି।
ଦେଶକୁ ଚେତାବନୀ ଜାରି: ଏହି ସମୟରେ ଟ୍ରମ୍ପ୍ ରୁଷରୁ ତେଲ କିଣୁଥିବା ୟୁରୋପୀୟ ଦେଶମାନଙ୍କ ବିଷୟରେ କହିଥିଲେ, “ଏହା ଜଣାପଡୁଛି ଯେ ୟୁରୋପୀୟ ଦେଶମାନେ ରୁଷରୁ ତେଲ କିଣୁଛନ୍ତି ଏବଂ ଆପଣ ଜାଣନ୍ତି ଯେ ମୁଁ ଭାରତର ବହୁତ ନିକଟତର। ମୁଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ବହୁତ ନିକଟତର।
ମୁଁ ତାଙ୍କ ସହିତ କଥା ହୋଇଥିଲି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଥିଲି। ଆମର ବହୁତ ଭଲ ସମ୍ପର୍କ ଅଛି। ସେ ଏକ ସୁନ୍ଦର ବକ୍ତବ୍ୟ ମଧ୍ୟ ଦେଇଥିଲେ। ଏବଂ କହିଥିଲେ ଏତେ ଭଲ ସମ୍ପର୍କ ସତ୍ତ୍ୱେ ଆପଣ ଜାଣନ୍ତି ମୁଁ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି।”
ଟ୍ରମ୍ପ କହିଛନ୍ତି, “ଚୀନ ବର୍ତ୍ତମାନ ଆମେରିକା ଉପରେ ବହୁତ ଉଚ୍ଚ ଶୁଳ୍କ ଲାଗୁ କରୁଛି। କିନ୍ତୁ ମୁଁ ଅଧିକ କରିବାକୁ ଇଚ୍ଛୁକ, କିନ୍ତୁ ଯଦି ତେଲ ମୂଲ୍ୟ କମ୍ ହୁଏ ଏବଂ ତେଲ ମୂଲ୍ୟ ପୂର୍ବରୁ ଯଥେଷ୍ଟ ହ୍ରାସ ପାଏ ତେବେ ରୁଷ ସହଜରେ ସମାଧାନ କରିବ।”
ଶୁଳ୍କ ହ୍ରାସ ହୋଇପାରେ: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଉତ୍ତେଜନାରେ ଏବେ ଆଶାର କିରଣ ଦେଖାଯାଉଛି। ଆମେରିକା ଖୁବ୍ ଶୀଘ୍ର ଭାରତ ଉପରେ ଲାଗୁ ହୋଇଥିବା ଶୁଳ୍କକୁ ଉଠାଇ ଦେଇପାରେ।
ଗୁରୁବାର ଦିନ ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍ ଘୋଷଣା କରିଛନ୍ତି ଯେ ନଭେମ୍ବର ୩୦ ପରେ କିଛି ଆମଦାନୀ ଉପରେ ଲାଗୁ ହୋଇଥିବା ଦଣ୍ଡାତ୍ମକ ଶୁଳ୍କକୁ ଉଠାଇ ଦିଆଯିବ। ଯଦି ଏହା ହୁଏ ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁଣି ଥରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇପାରିବ।