ଏସିଆ କପ୍ ଫାଇନାଲ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ନିଷ୍ପତ୍ତି, ପ୍ଲେଇଂ ୧୧ରୁ ବୁମରାହଙ୍କ ସହ ଆଉ ଏକ ଖେଳାଳିଙ୍କୁ କରିଦେଲେ ବିଦା
ପ୍ଲେଇଂ ୧୧ରୁ ବାଦ୍ ପଡିଲେ ବୁମରାହ ଓ ଦୁବେ।
ଓଡିଶାଭାସ୍କର: ୨୦୨୫ ଏସିଆ କପର ସୁପର ୪ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି। ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ, ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚ୍ ଖେଳିଛି ଏବଂ ସମସ୍ତ ମ୍ୟାଚ୍ରେ ବିଜୟୀ ହୋଇଛି।
ଏହି ସମୟରେ ଶ୍ରୀଲଙ୍କା ଏହାର ସୁପର ୪ ମ୍ୟାଚ୍ରେ ଦୁଇଟି ହାରିଛି ଏବଂ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି। ତେଣୁ ଏହି ମ୍ୟାଚ୍ର ଗୁରୁତ୍ୱ କମ୍ ରହିଛି। ଶ୍ରୀଲଙ୍କା ଅଧିନାୟକ ଚାରିଥ ଅସଲଙ୍କା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପ୍ଲେଇଂ ୧୧ରେ ଦୁଇଟି ପରିବର୍ତ୍ତନ: ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଏହାର ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ କରିଛି। ସୂର୍ଯ୍ୟକୁମାର ଯାଦବ ଟସ୍ ସମୟରେ କହିଥିଲେ, “ଆମେ ସବୁବେଳେ ଯାହା କରିଆସିଛୁ ତାହା ଉପରେ ଅଟଳ ରହିବୁ। ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ। ହେଲେ ଏବେ ଦ୍ୱିତୀୟରେ ବ୍ୟାଟିଂ କରିବାକୁ ଅପେକ୍ଷା କରିଛୁ”।
ଗତ କିଛି ମ୍ୟାଚ୍ ରେ ପଡ଼ିଥିବା କ୍ୟାଚ୍ ସମ୍ପର୍କରେ ମଧ୍ୟ ସୂର୍ଯ୍ୟକୁମାର କହିଥିଲେ, “ଏହା ଖେଳର ଏକ ଅଂଶ।” ଆମେ ଦୁଇଟି ପରିବର୍ତ୍ତନ କରିଛୁ: ବୁମରାହ ଏବଂ ଦୁବେଙ୍କ ସ୍ଥାନରେ ଅର୍ଶଦୀପ ଏବଂ ହର୍ଷିତଙ୍କୁ ଦଳରେ ସାମିଲ କରାଯାଇଛି।
ଏସିଆ କପ୍ ଫାଇନାଲ ମ୍ୟାଚ୍: ଭାରତ ତା’ର ଶେଷ ସୁପର ଫୋର୍ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିଥିଲା, ଯେଉଁଠାରେ ସୂର୍ଯ୍ୟବାହିନୀ ବିଜୟ ହାସଲ କରିଥିଲା।
ଅନ୍ୟପକ୍ଷରେ ଶ୍ରୀଲଙ୍କା ତା’ର ଶେଷ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ପରାସ୍ତ ହୋଇଥିଲା। ୨୦୨୫ ଏସିଆ କପ୍ର ଫାଇନାଲ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨୮ ତାରିଖରେ ଖେଳାଯିବ।
ଉଭୟ ଦଳର ପ୍ଲେଇଂ ୧୧:
ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।
ଶ୍ରୀଲଙ୍କା: ପଥୁମ୍ ନିସାଂକା, କୁସାଲ ମେଣ୍ଡିସ୍ (ୱିକେଟକିପର), କୁସଲ ପେରେରା, ଚାରିଥ ଅସଲାଙ୍କା (ଅଧିନାୟକ), କାମିନ୍ଦୁ ମେଣ୍ଡିସ୍, ଦାସୁନ୍ ଶନାକା, ଭାନିନ୍ଦୁ ହସରଙ୍ଗା, ଜେନିଥ୍ ଲିଆନାଗେ, ଦୁଷ୍ମନ୍ତ ଚାମୀରା, ମହୀଶ ତିକ୍ଷଣ, ନୁୱାନ ଥୁସାରା।