fbpx

କରୋନା କବଳରେ ଦୁଇ ଦିନର ଶିଶୁ

ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : ଦେଶବ୍ୟାପୀ କରୋନା ଦ୍ୱିତୀୟ ଲହରରେ ସଂକମ୍ରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଉ ଏହି ଦ୍ୱିତୀୟ ଲହରରେ ନୁଆ ଭ୍ୟାରିଏଣ୍ଟ ବି.୧.୧.୭ ଏବଂ ବି.୧.୬୧୭ ଛୋଟ ଛୋଟ ମାନଙ୍କୁ ଖୁବ୍ ଶୀଘ୍ର ସଂକ୍ରମିତ କରାଉଛି । ନିକଟରେ ଏପରି ଏକ ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ରର ଧୁଳିଆ ଜିଲ୍ଲାରେ ଗୋଟିଏ ୨ ଦିନର ନବଜାତ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ବର୍ତ୍ତମାନ ଉକ୍ତ ଶିଶୁ ଆଖି ନ ଖୋଲୁଣୁ କରୋନା ମହାମାରୀ ସହ ଲଢ଼େଇ କରୁଛି ।

ଏନେଇ ଜଣେ ଡାକ୍ତର କହିଛନ୍ତି ଯେ, ଶିଶୁଟି ଗର୍ଭରୁ ହିଁ କରୋନା ଦ୍ୱାରା ସଂକ୍ରମିତ ହୋଇଯାଇଥିଲା । ସେ ଏବେ ସହରର ଗୋଟିଏ ନର୍ସିଂ ହୋମ୍ ରେ ଚିକିତ୍ସିତ ଅବସ୍ଥାରେ ଅଛି । ଶିଶୁଟି ଖାଲି କରୋନା ନୁହେଁ ବରଂ ଅନେକ ଗୁଡିଏ ରୋଗରେ ପୀଡିତ ଅଛି । ତା ପାଖରେ କରୋନାର ବିଭିନ୍ନ ଲକ୍ଷଣ ଦେଖାଦେଇଛି ସେଗୁଡିକ ହେଲା; ଝିମଝିମ୍ ହେବା, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ଇତ୍ୟାଦି । ସେ ଏବେ କୋଭିଡ୍ ର ମଲ୍ଟିସିଷ୍ଟମ୍ ଇନଫ୍ଲେମେଟରୀ ସିଣ୍ଡ୍ରୋମ୍ ରେ ପୀଡିତ ଅଛି ।

ଖାଲି ସେତିକି ନୁହେଁ ବିଭିନ୍ନ ରାଜ୍ୟରୁ ଏଭଳି ମାମଲା ସାମନାକୁ ଆସୁଛି । ଗୁଜୁରାଟର ସୁରତରେ ଗୋଟିଏ ୧୪ ଦିନର ଶିଶୁ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛି । ସ୍ୱାସ୍ଥ୍ୟବିଭାଗର ସୁଚନା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରାୟ ୮୦ହଜାର ଶିଶୁ କରୋନା ସଂକ୍ରମିତ ହୋଇସାରିଛନ୍ତି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁସାରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ, କର୍ଣ୍ଣାଟକ ଏବଂ ଦିଲ୍ଲୀର ପ୍ରାୟ ୭୯ ହଜାର ୬୮୮ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ଠାରେ କରୋନାର ବିଭିନ୍ନ ଲକ୍ଷଣ ଦେଖାଦେଇଛି ଯେମିତିକି ନିୟମିତ ଜ୍ୱର ହେବା ଏବଂ ଅନେକ ପ୍ରକାରର ଲକ୍ଷଣ ଦେଖାଦେଇଛି । ଯେଉଁଥିପାଇଁ ସେମାନଙ୍କୁ ମେଡିକାଲ୍ ରେ ଭର୍ତ୍ତି କରିବାକୁ ପଡିଛି ।

ବର୍ତ୍ତମାନ କରୋନା ମହାମାରୀର ଯେଉଁ ଷ୍ଟ୍ରେନ୍ ଦେଖାଦେଉଛି ତାହା ବୟସ୍କଙ୍କ ତୁଳନାରେ ଛୋଟ ଛୋଟ ଶିଶୁଙ୍କ ପାଇଁ ବିପଦ୍ଜନକ ସାବ୍ୟସ୍ତ ହୋଇଛି । ବୟସ୍କଙ୍କ ତୁଳନାରେ କମ୍ ବୟସର ବ୍ୟକ୍ତିବିଶେଷ ମାନେ ଅଧିକ ସଂକ୍ରମିତ ହେଉଛନ୍ତି । ବିଶେଷ କରି ଶିଶୁ ମାନଙ୍କ କ୍ଷେତ୍ରରେ ଏହା ଭୟଙ୍କର ରୁପ ନେଉଛି ଏବଂ ଶିଶୁ ମାନଙ୍କ ପାଇଁ ଭ୍ୟାକସିନ୍ ବାହାରି ନଥିବା କହିଛନ୍ତି ବିଶେଷଜ୍ଞ ମାନେ । ଅପରପକ୍ଷରେ ଶିଶୁମାନଙ୍କ ପାଇଁ ଅଲଗା ବେଡ୍ ମଧ୍ୟ ଉପଲବ୍ଧ ନାହିଁ । କାରଣ ପୁର୍ବବର୍ଷ ଶିଶୁ ମାନଙ୍କୁ କରୋନା ବିଶେଷ ସଂକ୍ରମିତ କରିନଥିଲା । ଶିଶୁ ମାନଙ୍କ ଠାରେ ବ୍ୟାପୁଥିବା ଷ୍ଟ୍ରେନ୍ ରେ ମଲ୍ଟିସିଷ୍ଟମ୍ ଇନଫ୍ଲେମେଟରୀ ସିଣ୍ଡ୍ରୋମ୍ ଦେଖିବାକୁ ମିଳିଛି । ଯାହା ସେମାନଙ୍କୁ ମୃତ୍ୟୁ ମୁଖରେ ପକାଉଛି ।

Get real time updates directly on you device, subscribe now.