fbpx

ନଡିଆ ବାଡେଇଲେ କରୋନା ଚାଲିଯିବ- କେନ୍ଦ୍ର ମନ୍ତ୍ରୀଙ୍କ ଅଜବ ପରାମର୍ଶ

ନୂଆଦିଲ୍ଲୀ, ୨୭ା୪ (ଓଡିଶା ଭାସ୍କର) : ଦେଶବ୍ୟାପୀ ନାଗରିକ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ହସ୍ତସନ୍ତ ହେଉଛନ୍ତି । ତା ଉପରେ ପୁଣି ଅକ୍ସିଜେନ୍ ଅଭାବରେ ଅନେକ ଲୋକ ଜୀବନ ହାରୁଛନ୍ତି । ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଲୋକମାନଙ୍କୁ ମହାମାରୀଠାରୁ ବର୍ତ୍ତିବା ପାଇଁ ଗୋଟିଏ ଅଜବ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ବାଲାଜୀଙ୍କ ପାଖରେ ଗୋଟିଏ ନଡିଆ ଚଢ଼େଇଦିଅନ୍ତୁ ସବୁ ଠିକ୍ ହୋଇଯିବ । ବର୍ତ୍ତମାନ ମନ୍ତ୍ରୀଙ୍କ ଏହି ଅଜବ ପରାମର୍ଶ ଚର୍ଚ୍ଚାରେ ରହିଛି ।

ସୁଚନା ଯେ, ଗଜେନ୍ଦ୍ର ସିଂ ଶେଖାୱତ ଯୋଧପୁରର ବିଜେପି ସାସଂଦ ହୋଇଥିବା ବେଳେ ସେ ସୋମବାର ଅଞ୍ଚଳର ବିଭିନ୍ନ ସରକାରୀ ହସ୍ପିଟାଲ ପରିଦର୍ଶନ କରିଥିଲେ । ଆଉ ସେଠାକାର ଡାକ୍ତର ମାନଙ୍କ ସହିତ କରୋନା ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ଆଉ ଏହି ସମୟରେ ଯେତେବେଳେ ଜଣେ ପରିବାର ତାଙ୍କ ପାଖକୁ ସାହାଯ୍ୟ ଆଶାରେ ଆସିଥିଲେ ସେ ସେମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, “ଡାକ୍ତର ମାନେ ନିଜର କାମ କରୁଛନ୍ତି, ଆଉ ଆପଣ ବାଲାଜୀ (ହନୁମାନ ଜୀ)ଙ୍କ ପାଖରେ ଗୋଟିଏ ନଡିଆ ଚଢ଼େଇଦିଅନ୍ତୁ, ସେ ସବୁ ଠିକ୍ କରିଦେବେ” । ତେବେ ମନ୍ତ୍ରୀଙ୍କର ଏହି ବୟାନ ପରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ସେଠାରେ ଥିବା ସମସ୍ତ କର୍ମଚାରୀ ମାନଙ୍କ ସହ କୋଭିଡ୍ ସ୍ଥିତି ମୁକାବିଲା ନେଇ ସବିଶେଷ ଆଲୋଚନା କରିଥିଲେ ।

ତେବେ ଏହି ସମୟରେ ସେ କହିଥିଲେ ଯେ ସେ ୫୦ ଲକ୍ଷ ଟଙ୍କାର ଫଣ୍ଡ ଦେଇଛନ୍ତି । ଆଗକୁ ଯଦି କୌଣସି ଜିନିଷର ଆବଶ୍ୟକତା ପଡିଲେ ସେ ନିଶ୍ଚିତ ରୁପେ ସାହାଯ୍ୟ କରିବେ ବୋଲି ସେ କଥା ଦେଇଥିଲେ । ଏଥିସହିତ ସେ କହିଥିଲେ ଯେ, ଅକ୍ସିଜେନ୍ କି ମେଡିସିନ୍ ଅଭାବରେ ଯେମିତି କୌଣସି ବ୍ୟକ୍ତି ନ ରହିବେ । ହେଲେ ମନ୍ତ୍ରୀଙ୍କ ଏହି ଦୁଇ ପଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିରୋଧୀ ମାନେ ମଧ୍ୟ ଏହି ବୟାନ ପାଇଁ ତାଙ୍କୁ ଟାର୍ଗେଟ କରିଛନ୍ତି । ବୟାନଟି ଚର୍ଚ୍ଚାକୁ ଆସିବା ପରେ ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ସେ ଏହା ଉପରେ ସ୍ୱଷ୍ଟୀକରଣ ଦେଇଛନ୍ତି । ଆଉ କହିଛନ୍ତି ଯେ, ଏଥିରେ କୌଣସିି ଖରାପ କଥା ନାହିଁ । କାରଣ ଡାକ୍ତର ସେମାନଙ୍କ କାମ କରୁଛନ୍ତି ତେଣୁ ପରିବାର ଲୋକ ମଧ୍ୟ ଡାକ୍ତରଙ୍କୁ ଭରସା କରି ଦୃଢ଼ ମନରେ ରହିବା ନିହାତି ଦରକାର । ତେଣୁ ପରିବାର ଲୋକଙ୍କୁ ମାନସିକ ସ୍ତରରେ ମଜବୁତ କରି ରଖିବା ଜରୁରୀ, ତେଣୁ ସେ ଯାହା କହିଲି ତାହା ଏକଦମ୍ ସାମାନ୍ୟ କଥା । ତେଣୁ ସେ ଜଣେ ଅଧିକାରୀ ଭାବରେ ଏପରି କହି ନାହାନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

Get real time updates directly on you device, subscribe now.