fbpx

ବାତ୍ୟା ୟଶ୍ କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ପ୍ରସ୍ତୁତିର କରିବେ ସମୀକ୍ଷା

ନୂଆଦିଲ୍ଲୀ: ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱବର୍ତୀ ଅଂଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୨୪ ଘଂଟାରେ ଏହା ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବ । ବାତ୍ୟା ୟଶ୍ ର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ସାମୁଦ୍ରିକ ଝଡ ୟଶ୍ ଆସନ୍ତା ୨୬ ତାରିଖରେ ଓଡ଼ିଶାର ବାଲେଶ୍ୱର ଉପକୂଳ ଓ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୟଶ୍ ର ମୁକାବିଲା ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତୁତିର ସମୀକ୍ଷା କରିବେ ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଜି ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହ ମନ୍ତ୍ରୀ ଅମିତ୍ ଶାହା, ଶକ୍ତି, ବେସାମରିକ ବିମାନ ଚଳାଚଳ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ପ୍ରତିନିଧି, ବରିଷ୍ଠ ପ୍ରଶାସନିକ ଅଧିକାରୀ, ପାଣିପାଗ ବିଭାଗର ସଚିବ ଓ ଅନ୍ୟ ମନ୍ତ୍ରୀ ସାମିଲ ହେବେ ।

ଅନ୍ୟପଟେ ପାଣିପାଗ ବିଭାଗର ଆଲର୍ଟକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଓଡିଶା ଓ ପଶ୍ଚିମବଙ୍ଗରେ ଇଂଜିନିୟର ଓ ଟାସ୍କଫୋର୍ସକୁ ମୁତୟନ କରିଛି । ନୌସେନା ବାତ୍ୟାର ସମ୍ଭାବିତ ବିପଦର ମୁକାବିଲା ପାଇଁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ୮ ଟିମ ଓଡିଶା ଓ ପଶ୍ଚିମବଙ୍ଗ ପଠାଇଛି । ଏହା ବ୍ୟତୀତ ନୌସେନାର ସମୁଦ୍ର ବୁଡାଳିଙ୍କ ୪ ଟିମକୁ ମଧ୍ୟ ଦୁଇ ରାଜ୍ୟରେ ସଜାଗ ରଖାଯାଇଛି ।

ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବଳ(ଓଡିଆରଏଫ)ର ୨୨ ଜଣିଆ ଟିମକୁ ସମ୍ଭାବିତ ପ୍ରଭାବିତ ଅଂଚଳକୁ ପଠାଯାଇଛି । ଏନଡିଆରଏଫ ଦଳକୁ ମଧ୍ୟ ମୁତୟନ କରାଯାଇଛି । ଉପକୂଳବର୍ତୀ ଅଂଚଳର ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଉଛି । ଡାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସତର୍କ କରାଯାଉଛି।

Get real time updates directly on you device, subscribe now.