ଭୁବନେଶ୍ୱର, (ଓଡିଶା ଭାସ୍କର): କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟଶ୍’ଙ୍କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି । ‘ୟଶ’ର ଚର୍ଚ୍ଚା ଆରମ୍ଭ ହେବା ପରଠାରୁ ଲୋକମାନେ କୋଭିଡକୁ ସତେ ଯେମିତି ଭୁଲି ସାରିଛନ୍ତି । ତେବେ ବାତ୍ୟା ପାଇଁ ଆଜି ଓ କାଲି ଦୁଇଦିନ ସକାଳୁ ୭ଟାରୁ ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏନେଇ ଆଜି ସ୍ପେଶାଲ ରିଲିଫ କମିଶନର (ଏସଆରସି) ଘୋଷଣା କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ବାତ୍ୟାକୁ ନେଇ ବୃଦ୍ଧି କରାଯାଇଥିବା ଏହି ସମୟ ଅବଧି ସଂକ୍ରମଣର ଅନ୍ୟତମ କାରଣ ସାଜିବ ନାହିଁ ତ? ସରକାର ପରୋକ୍ଷରେ ଭିଡ଼କୁ ଆମନ୍ତ୍ରଣ କରୁଛନ୍ତି, ଏହାକଥାକୁ ଅସ୍ୱୀକାର କରିହେବ ନାହିଁ । କିନ୍ତୁ ସରକାର ନାଚାର, ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ବର୍ତ୍ତମାନର ପରିସ୍ଥିତିରେ ସରକାର, ପ୍ରଶାସନ, ଜନସାଧାରଣ ସମସ୍ତେ ଦୋଛକିରେ ପଡ଼ିଛନ୍ତି, ଯେଉଁଠାରୁ ମୁକୁଳିବାର ବାଟ ନାହିଁ । ମାତ୍ର ଦୁଇଘଣ୍ଟା ସମୟ ବୃଦ୍ଧି କରାଯାଇଥିଲେ ହେଁ ଆଜି ବଜାର ଯେଉଁ ପ୍ରକାର ଭିଡ଼ ହୋଇଥିଲା, ସଂକ୍ରମଣ ଯେ ବୃଦ୍ଧି ନହେବ, ଏହା ଆଶା କରିବା ବୃଥା । ସୋମବାରଠାରୁ ଶୁକ୍ରବାର ଦୋକାନ ବଜାର ଖୋଲୁଥିବାରୁ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ଘରେ ମହଜୁଦ ନ ରଖିବା ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ କୁହାଯାଉଥିଲା । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ହୁଏତ ସରକାର ଏହି ସମୟସୀମା ବୃଦ୍ଧି କରିଥାଇପାରନ୍ତି, ମାତ୍ର ଏହାଦ୍ୱାରା ଜନସାଧାରଣ ଅଧିକ ମାତ୍ରାରେ ସାମଗ୍ରୀ ଘରେ ରଖିବାକୁ ବାଧ୍ୟ ହେବେ । ଆବଶ୍ୟକତାଠାରୁ ଅଧିକ ଜିନିଷ କିଣିବା ପାଇଁ ଦୋକାନ ବଜାରେ ଲମ୍ବା ଲାଇନ ଲଗାଇବେ । ଏହାର ଉଦାହରଣ ଆଜି ଦେଖିବାକୁ ମିଳିଛି । ଆଜି ଦ୍ୱିପ୍ରହର ୧ଟା ପୂର୍ବରୁ ସମସ୍ତ ବଜାରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଲୋକମାନେ ସତେ ଯେମିତି କରୋନାକୁ ବାତ୍ୟାରେ ଉଡ଼ାଇଦେଇଥିବା ଜଣାପଡ଼ୁଥିଲା ।