fbpx

ୟାମିଙ୍କ ବିବାହ ଫଟୋକୁ ନେଇ କଙ୍ଗନା ଓ ବିକ୍ରାନ୍ତଙ୍କ ଲଢ଼େଇ

ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ତଥା ଚୁଲବୁଲି ଅଭିନେତ୍ରୀ ୟାମି ଗୌତମ ଲକ୍ଡାଉନରେ ଲୁଚାଚୋରାରେ ବିବାହ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଚକିତ କରିଛନ୍ତି । ୟାମି ନିକଟକୁ ନିଜ ପ୍ରଶଂସକମାନଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ସମ୍ପୂର୍ଣ୍ଣ ହୋଇଛି । ତେବେ କାର୍ଯ୍ୟକ୍ରମରେ ପରିବାର ସଦସ୍ୟଙ୍କ ବ୍ୟତୀତ କେତେକ ନିକଟତର ବନ୍ଧୁ ସାମିଲ ହୋଇଥିଲେ । ୟାମି ଉରି ଫିଲ୍ମରୁ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିବା ଆଦିତ୍ୟ ଧରଙ୍କୁ ନିଜ ଜୀବନ ସାଥୀ କରିଛନ୍ତି । ଗୋଟିଏ ପଟେ ବଲିଉଡ୍ର ବହୁ ସେଲିବ୍ରିଟି ୟାମି ଓ ତାଙ୍କ ସ୍ୱାମୀ ଆଦିତ୍ୟଙ୍କୁ ଅଭିନନ୍ଦନର ଶୁଭେଚ୍ଛା ପଠାଉଥିବାବେଳେ ୟାମିଙ୍କର ପ୍ରିୱେଡିଙ୍ଗି ଫଟୋକୁ ନେଇ ବିବାଦ ଆରମ୍ଭ ହୋଇଗଲାଣି । ଫଳରେ ସୋସିଆଲ ମିଡିଆରେ କଥା କଟାକଟି ଆରମ୍ଭ ହୋଇଯାଇଛି ।

ୟାମି ତାଙ୍କର ପ୍ରିୱେଡିଙ୍ଗ୍ ସେରିମୋନିର କିଛି ଫଟୋ ସୋସିଆଲ ମିଡିଆରେ ଛାଡ଼ିଥିଲେ । ଯେଉଁଥିରେ ସେ ଲାଲରଙ୍ଗର ଶାଢ଼ି, ନାକରେ ନୋଥ୍ ଓ ହାତରେ କଲିରେ ପିନ୍ଧିଥିବାର ନଜର ଆସିଛନ୍ତି । ୟାମି ସେଥିରେ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ୟାମିଙ୍କର କୋ-ଷ୍ଟାର ବିକ୍ରାନ୍ତ ମିସି ଓ କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱାତ୍ ।

ୟାମିଙ୍କର ଏହି ଫଟୋରେ କଙ୍ଗନା କମେଣ୍ଟ ଦେଇଥିଲେ ଯେ ହିମାଚଳ ପ୍ରଦେଶର ପାହାଡ଼ି କନ୍ୟା ଖୁବ୍ ସୁନ୍ଦର ଓ ଦେବୀ ସଦୃଶ ଦେଖାଯାଉଛନ୍ତି । କିନ୍ତୁ ସେହି ଫଟୋରେ କୋଷ୍ଟାର- ବିକ୍ରାନ୍ତ ଲେଖିଛନ୍ତି ଯେ ଏହା ରାଧେ ମା’ ପରି ଶୁଦ୍ଧ ଓ ପବିତ୍ର । ହେଲେ ୟାମିଙ୍କୁ ରାଧେ ମା’ଙ୍କ ସହ ତୁଳନା କରିବା ଦେଖି ହଜମ କରିପାରିଲେନି କଙ୍ଗନା । ଫଳରେ ବିକ୍ରାନ୍ତଙ୍କ କମେଣ୍ଟ ଉପରେ ପ୍ରତିକ୍ରିୟା ଦେଲେ ଯେ କେଉଁଠୁ ଆସିଲା ଏହି ଅସରପା ….ଆଣ ମୋ ଚପଲ । ସୋସିଆଲ ମିଡିଆରେ କଙ୍ଗନାଙ୍କର ଏହି କମେଣ୍ଟ ଦେଖି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ କଙ୍ଗନା ଓ ବିକ୍ରାନ୍ତଙ୍କ ସପକ୍ଷ ନେଇ ମତ ଦେଉଛନ୍ତି । କିନ୍ତୁ ଏହା କଙ୍ଗନାଙ୍କର ମଜାଳିଆ କଥା ଥିଲା କି ବିକ୍ରାନ୍ତଙ୍କ ଉପରେ ସତରେ କହିଛନ୍ତି ତାହା ଏଯାଏଁ ଜଣାପଡ଼ି ନାହିଁ ।

Get real time updates directly on you device, subscribe now.