fbpx

ପୁଣି ବାବା ରାମଦେବଙ୍କୁ ଝଟକା: ଭୁଟାନ ପରେ ଏବେ ନେପାଳରେ ବନ୍ଦ ହେଲା ପତଞ୍ଜଳିର କରୋନିଲ କିଟ ବିତରଣ

ନୂଆଦିଲ୍ଲୀ: ଭୂଟାନ ପରେ ଏବେ ନେପାଳ ମଧ୍ୟ ପତଞ୍ଜଳିକୁ ଦେଇଛି ଝଟକା । ନେପାଳର ଆୟୁର୍ବେଦ ଏବଂ ବିକଳ୍ପ ଔଷଧ ବିଭାଗ କରୋନିଲ୍ କିଟ ବିକ୍ରିକୁ ବାରଣ କରିଛି । ଯୋଗ ଗୁରୁ ବାବା ରାମଦେବଙ୍କ ଦ୍ୱାରା ଏହାକୁ ଉପହାର ଭାବରେ ନେପାଳକୁ ଦେଇଥିଲେ । ସେପଟେ ଏନେଇ ନେପାଳ ତରଫରୁ କୁହାଯାଇଛି ଯେ ପତଞ୍ଜଳୀ କୋଭିଡ-୧୯ ଯୁଦ୍ଧରେ ଯେଉଁ କରୋନିଲକୁ ଉପଯୋଗୀ ବୋଲି କହିଥିଲା ତାହାର ବିତରଣ ନିୟମ ଅନୁଯାୟୀ ବଣ୍ଟନ କରାଯାଇନଥିଲା ।

ନେପାଳ ସରକାର ଏହା ମଧ୍ୟ କହିଛନ୍ତି ଯେ କରୋନିଲ କିଟରେ ଅନ୍ତର୍ଭୁକ୍ତ ଟାବଲେଟ ଏବଂ ନାଜର ଅଏଲ କୋଭିଡ-୧୯ କୁ ପରାସ୍ତ କରିବା ପାଇଁ ଅନ୍ୟ ଔଷଧ ସହ ସମାନ ନୁହେଁ । ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଦ୍ୱାରା ନିକଟରେ କୁହାଯାଇଥିବା କଥାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଆସୋସିଏସନ ରାମଦେବଙ୍କୁ ତାଙ୍କ ଉତ୍ପାଦ କରୋନା ସହିତ ଲଢିବାକୁ ସକ୍ଷମ ବୋଲି ପ୍ରମାଣ କରିବାକୁ ଚ୍ୟାଲେଞ୍ଜ କରିଥିଲା ।

ନେପାଳରେ ପତଞ୍ଜଳି ଗ୍ରୁପର ଏକ ବଡ଼ ବ୍ୟବସାୟ ରହିଛି । ନେପାଳ ସରକାରଙ୍କ ଏହି ଆଦେଶ ମଧ୍ୟ ରାଜନୈତିକ ବିବାଦ ସହ ଜଡ଼ିତ ଥିବା ଜଣାପଡ଼ିଛି । ବାସ୍ତବରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ହୃଦୟେଶ ତ୍ରିପାଠୀ ଏବଂ ମହିଳା ଏବଂ ଶିଶୁ ବିକାଶ ଦାୟିତ୍ୱରେ ଥିବା ଜୁଲି ମହତୋଙ୍କ ସମୟରେ ନେପାଳ କରୋନିଲ କିଟ ଦିଆଯାଇଥିଲା । ଜୁଲି ମହତୋଙ୍କ ଭାଇ ଉପେନ୍ଦ୍ର ମହତୋ ଜଣେ ବଡ ଶିଳ୍ପପତି ଏବଂ ନେପାଳର ପତଞ୍ଜଳି ଗ୍ରୁପର ଅଂଶୀଦାର ମଧ୍ୟ ଅଟନ୍ତି । ନେପାଳ ସରକାର କହିଛନ୍ତି ଏହି କିଟ୍ ଉପହାର ଭାବରେ ନେପାଳକୁ ଦିଆଯାଇଥିଲା, ଏହାର ବାଣିଜ୍ୟିକ ବଣ୍ଟନ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

ସୂଚନା ଯୋଗ୍ୟ ପୂର୍ବରୁ ଭୂଟାନ ମଧ୍ୟ କରୋନିଲ କିଟ ବଣ୍ଟନ ଉପରେ ରୋକ ଲଗାଇଛି । ନିକଟରେ ଭୂଟାନ ଡ୍ରଗ ରେଗୁଲେଟରୀ ଅଥରିଟି ଏହି ଔଷଧର ବିତରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନିକଟରେ ବାବା ରାମଦେବ ଏଲୋପାଥିକ ଔଷଧକୁ ନିନ୍ଦା କରିଥିଲେ ଯାହାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ତାଙ୍କୁ ବିରୋଧ କରିଥିଲା । ପରେ ଭାରତୀୟ ମେଡିକାଲ ଆସୋସିଏସନ ଉତ୍ତରାଖଣ୍ଡ ଶାଖା ବାବା ରାମଦେବଙ୍କ ଉପରେ ୧୦,୦୦୦ କୋଟି ଟଙ୍କାର ମାନହାନି ଦାବି କରିଥିଲା । ତେବେ ପରେ କ୍ଷମା ମାଗିବା ପରେ ବାବା ରାମଦେବଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନ ପ୍ରତ୍ୟାହାର କରିବାକୁ ଭାରତୀୟ ମେଡିକାଲ ଆସୋସିଏସନ କହିଛି ।

Get real time updates directly on you device, subscribe now.