fbpx

ଅନଲକ୍ ହେଉଛି ରାଜଧାନୀ: ଖୋଲିବ ବଜାର, ମଲ୍ ଓ ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅନେକ ମାତ୍ରାରେ କମ ହୋଇଯିବାରୁ ସେଠାରେ ଏବେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଠାରୁ ଅନଲକ୍ ପ୍ରକ୍ରିୟାରେ ସମସ୍ତ ବଜାର, ମଲ୍, ରେଷ୍ଟୁରାଣ୍ଟ ଖୋଲିବା ଆରମ୍ଭ କରିବ । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ଦିଲ୍ଲୀରେ ସ୍କୁଲ-କଲେଜ, ସୁଇମିଂ ପୁଲ, ସ୍ପା ସେଣ୍ଟର ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, “ଆସନ୍ତାକାଲି ଠାରୁ ବଜାର ଖୋଲିବା ପାଇଁ ଅଡ-ଇଭେନ୍ ଫର୍ମୁଲା ଲାଗୁ ହେବ ନାହିଁ । ପ୍ରାଇଭେଟ୍ ଅଫିସ୍ ୫୦ ପ୍ରତିଶତ କ୍ଷମତା ସହ ସକାଳ ୯ ଟାରୁ ସନ୍ଧ୍ୟା ପର୍ୟ୍ୟନ୍ତ ଖୋଲା ରହିବ ।” ବଜାର, ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସ ଗୁଡିକର ସମସ୍ତ ଦୋକାନ ସକାଳ ୧୦ ଟାରୁ ରାତି ୮ ଟା ପର୍ୟ୍ୟନ୍ତ ଖୋଲିପାରିବ । ରେଷ୍ଟୁରାଣ୍ଟ ଗୁଡିକ ୫୦ ପ୍ରତିଶତ ବସିବା କ୍ଷମତାରେ ଖୋଲାଯିବ । ସେହିପରି ଗୋଟିଏ ଦିନରେ କେବଳ ଗୋଟିଏ ସାପ୍ତାହିକ ବଜାର ଅନୁମତି ଦିଆଯିବ । ଘରେ କିମ୍ବା କୋର୍ଟରେ ୨୦ ଜଣଙ୍କ ଉପସ୍ଥିତିରେ ବିବାହ ଆୟୋଜନ କରାଯାଇପାରିବ । ଧାର୍ମିକ ସ୍ଥାନ ଖୋଲାଯାଉଛି କିନ୍ତୁ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ ।” ଦିଲ୍ଲୀରେ କୋଭିଡ -୧୯ ର ନୂଆ ମାମଲା ହ୍ରାସ ପାଇଥିବାରୁ ସରକାର ନିର୍ମାଣ କାର୍ୟ୍ୟ ଏବଂ କାରଖାନାଗୁଡ଼ିକୁ ଆସନ୍ତା ୩୧ ତାରିଖରୁ ପର୍ୟ୍ୟାୟକ୍ରମେ ଖୋଲିବାକୁ ଅନୁମତି ଦେଇଛନ୍ତି ।

ଦିଲ୍ଲୀ ମେଟ୍ରୋ ଏବଂ ବସ୍ ଗୁଡିକ ୫୦% କ୍ଷମତା ସହିତ ଚାଲିବାକୁ ଅନୁମତି ଦିଆଯାଇଛି । ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ଅଟୋ ଏବଂ ଇ-ରିକ୍ସା ଓ ଟ୍ୟାକ୍ସିରେ ୨ ରୁ ଅଧିକ ଯାତ୍ରୀଙ୍କୁ ଅନୁମତି ଦିଆଯାଇ ନାହିଁ  । ସେପଟେ ସ୍କୁଲ-କଲେଜ, ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ସମାବେଶ, ସୁଇମିଂ ପୁଲ୍, ଷ୍ଟାଡିୟମ୍, ସିନେମା, ଥିଏଟର୍, ମନୋରଞ୍ଜନ ପାର୍କ, ଭୋଜି ହଲ୍, ଅଡିଟୋରିୟମ୍, ସ୍ପା, ଜିମ୍, ସର୍ବସାଧାରଣ ପାର୍କଗୁଡିକ ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଆମେ ଏହାକୁ ଏକ ସପ୍ତାହ ପର୍ୟ୍ୟନ୍ତ ଅନଲକ ପ୍ରକ୍ରିୟା ଜାରି ରଖିବୁ । ଏହା ଏକ ସପ୍ତାହ ମଧ୍ୟରେ ଦିଲ୍ଲୀର ସ୍ଥିତି ଉପରେ ଧ୍ୟାନ ଦିଆଯିବ । ଯଦି ଏହା ଭିତରେ ସଂକ୍ରମଣ ବଢିଯାଏ ତେବେ ପୁନର୍ବାର କଠୋର ପ୍ରତିବନ୍ଧକ ଲଗାଯିବ, ନଚେତ୍ ଏହା ଜାରି ରହିବ ।

 

Get real time updates directly on you device, subscribe now.