fbpx

ଓଡ଼ିଆ ଯୁବକଙ୍କ ‘କୋଟପାଡ଼ ୱିଭିଂ’ ଡକ୍ୟୁମେଣ୍ଟାରି MX Playରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିବା ଓଡିଆ ଫିଲ୍ମ ନିର୍ମାତା ବିଶ୍ୱନାଥ ରଥଙ୍କ ପ୍ରାମାଣିକ ଚଳଚିତ୍ର(ଡକ୍ୟୁମେଣ୍ଟାରୀ) କୋଟପାଡ ୱିଭିଙ୍ଗ-ଦ ଷ୍ଟୋରୀ ଅଫ୍ ଏ ରେସ୍ ଏଗେନଷ୍ଟ ଟାଇମ୍ ଏମ୍ଏକ୍ସ ପ୍ଲେୟରରେ ପ୍ରସାରିତ ହେଉଛି । ଏକ ବର୍ଷ ତଳେ ଜୁନ୍ ୧୯ ତାରିଖରେ ପ୍ରଥମ ଓଡିଆ ପ୍ରାମାଣିକ ଚିତ୍ର ଭାବରେ ଓଟିଟି ପ୍ଲାଟଫର୍ମ ଆମାଜନ୍ରେ ପ୍ରସାରିତ ହୋଇଥିବା ବେଳେ ୨୩ ଜୁନ୍ରେ ଏହା ଏମ୍ଏକ୍ସ ପ୍ଲେୟରରେ ପ୍ରସାରିତ ହୋଇଛି । ଆମାଜନ୍ ପ୍ରାଇମ୍ରେ ଏହି ଡକ୍ୟୁମେଣ୍ଟାରୀଟି କେବଳ ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ, କାନାଡା ଏବଂ ଅଷ୍ଟ୍ରେଲିଆରେ ରିଲିଜ୍ ହୋଇଥିଲା । ଏମ୍ଏକ୍ସ ପ୍ଲେୟରରେ ରିଲିଜ୍ ହେବା ପରେ ଏଣିକି ଭାରତୀୟ ଦର୍ଶକ ଏହା ଦେଖିବାରେ ସକ୍ଷମ ହେବେ । ସମଗ୍ର ଏମ୍ଏକ୍ସ ପ୍ଲେୟରର ୨୮ କୋଟି ଗ୍ରାହକ ରହିଥିବା ବେଳେ ଏହା ଭାରତର ଦ୍ୱିତୀୟ ବୃହତ ଓଟିଟି ପ୍ଲାଟଫର୍ମ ।

ଇଂରାଜୀରେ ନିର୍ମିତ ବିଶ୍ୱନାଥଙ୍କ ଏହି ଡକ୍ୟୁମେଣ୍ଟାରୀ କୋଟପାଡର ଅନନ୍ୟ ହସ୍ତତନ୍ତ ଉପରେ ଆଧାରିତ । ଏହି ଫିଲ୍ମରେ ବିଲୁପ୍ତ ହେବାକୁ ବସିଥିବା କୋଟପାଡ ହସ୍ତତନ୍ତକୁ ସ୍ୱତନ୍ତ୍ର ଭାବରେ ଦର୍ଶାଯାଇଥିଲା । ୨୪ ମାର୍ଚ୍ଚ ୨୦୧୮ରେ ଟିଭିରେ ପ୍ରଦର୍ଶିତ ହେବା ପରେ ଏହି ଫିଲ୍ମଟି ୩୩ଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ସ୍କ୍ରିନିଂରେ ସାମିଲ ହୋଇଛି । ଏହା ସହିତ ୬ଟି ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛି ଏହି ଡକ୍ୟୁମେଣ୍ଟାରୀ । ଆମେରିକା, ୟୁକେ, ଇଟାଲୀ, ଗ୍ରୀସ୍, ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରେ ପ୍ରଶଂସିତ ହୋଇଥିବା ଏହି ଚଳଚିତ୍ର ନିକଟରେ ସର୍ଦ୍ଦାର ବଲ୍ଲଭଭାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଭାରତୀୟ ଫିଲ୍ମ ବର୍ଗରେ ପୁରସ୍କୃତ ହୋଇଥିଲା । ଏହା ବ୍ୟତିତ ଜାନୁୟାରୀ ୨୦୨୧ରେ ଜାପାନ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଏହି ଫିଲ୍ମକୁ ପୁରସ୍କୃତ କରାଯାଇଥିଲା ।

Get real time updates directly on you device, subscribe now.