ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନଥିବା ବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ ବୃଦ୍ଧି କରିବା ଦ୍ୱାରା ଦେଶରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ରନ୍ଧନ ଗ୍ୟାସ, ଖାଇବା ତେଲ, ଡାଲି ଜାତୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ଓ ସାଧାରଣ ଖାଉଟୀମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଲୋକମାନଙ୍କ ଏପରି ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଏଆଇସିସି ତରଫରୁ ସାରା ଦେଶରେ ବ୍ଲକ, ନଗର, ଜିଲ୍ଲା ଓ ପ୍ରଦେଶ ସ୍ତରରେ କଂଗ୍ରେସ ଦଳ ପକ୍ଷରୁ ଧାରଣା, ବିକ୍ଷୋଭ ଓ ପ୍ରତିବାଦ ସହ ସାଇକେଳ ଯାତ୍ରା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆସନ୍ତା ୭ ଜୁଲାଇ ବୁଧବାର ଠାରୁ ୧୭ ଜୁଲାଇ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।