ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଲିଉଡ୍ ଜଗତ ତଥା ଯାତ୍ରା ଜଗତର ଏକ ଚର୍ଚ୍ଚିତ ନାମ ଭାରତୀ । ପୂରା ନାମ ଭାରତୀ ଧଳ । ମଞ୍ଚ ଉପରେ ସେ ଲୋକଙ୍କୁ ହସାଇ ପାରନ୍ତି ଆଉ କନ୍ଦାଇ ଦେବାର ଦକ୍ଷତା ବି ରଖିଛନ୍ତି । ଦୀର୍ଘଦିନର ଯାତ୍ରା ଜୀବନ ଭିତରେ ତାଙ୍କ ସତ ଜୀବନ ମଧ୍ୟ ଅନେକ ଦୁଃଖ ସୁଖ ଦେଇ ଗତି କରିଆସିଛି । ଇତିମଧ୍ୟରେ ଭାରତୀ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଯାତ୍ରାରେ ପ୍ରେମ-ବିବାହ-ବିଚ୍ଛେଦ ଆଦି ଚରିତ୍ରକୁ ନିଖୁଣ ଉପସ୍ଥାପନ କରିପାରୁଥିବା ଭାରତୀଙ୍କ ଅସଲ ଜୀବନରେ ବି ସେହିସବୁ ବେଶ୍ ବାରିହୋଇ ପଡ଼େ । କେବେ ସେ ‘ଖରାପ ଝିଅର ଗପ’ ତ ଆଉକେବେ ଅଲିଅଳି ଝିଅ ସୁନାନାକି । କିନ୍ତୁ ସମ୍ପ୍ରତି ସେ ପାଇଛନ୍ତି ନୂଆ ପରିଚୟ-ନୂଆ ନାମ । ତାହା ହେଉଛି- ଭାରତୀ ପଣ୍ଡା । ବିବାହ ପରେ ସେ ଏଭଳି ନାଁରେ ଜଣାଶୁଣା ।
ଘଟଣାକ୍ରମ
ରଙ୍ଗମହଲାରେ ଭାରତୀଙ୍କ ଜାରି ରହିଥିଲା ଅଭିନୟ । ୨୦୧୮ ମସିହାର କଥା । ପ୍ରଯୋଜକ ହଠାତ୍ ଭାରତୀ ଓ ଅଭିନେତା ପୀୟୁଷ ତ୍ରିପାଠୀଙ୍କୁ ସଂସ୍ଥାରୁ ବାହାର କରିଦେଇଥିଲେ । ଖାଲି ସେତିକି ନୁହେଁ, ଏହା ପରେ ଭାରତୀ ତାଙ୍କ ସ୍ୱାମୀ ତଥା ଅଭିନେତା ନିରାକର ଧଳଙ୍କଠାରୁ ଅଲଗା ହୋଇଯାଇଥିଲେ । ଭାରତୀ ଓ ପୀୟୁଷ ପାର୍ବତୀ ଗଣନାଟରେ କିଛିଦିନ କାମ କରିବା ପରେ ଇନ୍ଦ୍ରଭୂବନରେ ପୁଣି ନିରାକାରଙ୍କ ସହ ତାଙ୍କର ମିଳିତ ଅଭିନୟ ଆରମ୍ଭ ହୋଇଥିଲା । କିନ୍ତୁ ତିଷ୍ଠି ନଥିଲା ସମ୍ପର୍କ । ଖୁବ୍ କମ୍ ଦିନ ମଧ୍ୟରେ ସବୁ ଏପଟସେପଟ । କରୋନା କଟକଣା ପରେ ପରେ ଭାରତୀ ଇନ୍ଦ୍ରଭୂବନରୁ ବିଦାୟ ନେଇଯାଇଥିଲେ । ଏହାପରେ ‘ସ୍ୱପ୍ନ ମହଲ’ରେ ସେ ପାଲଟିଥିଲେ ମୋନାଲିସାର ମିଠା ହସ । କିନ୍ତୁ ସ୍ୱପ୍ନମହଲରେ ପୀୟୁଷଙ୍କ ସହ ମଧ୍ୟ ଭାରତୀଙ୍କ ଅନ୍ତ ହୋଇଥିଲା ସମ୍ପର୍କ ।
କିନ୍ତୁ ଭାରତୀଙ୍କ ଜୀବନରେ ଆସିଥିଲେ ସ୍ୱପ୍ନ ମହଲର ଅନ୍ୟତମ ରାଜକୁମାର ‘ଆଶିଷ’ । ଆଶିଷ ପଣ୍ଡାଙ୍କ ସହ ସମ୍ପର୍କ ନିବିଡ଼ ହେବା ପରେ ବର୍ତ୍ତମାନ ତାହା ବିବାହର ରୂପ ନେଇଛି । ଭାରତୀ ଆଉ ଆଶିଷ ଖୁବ୍ ଖୁସି ଅଛନ୍ତି । ଅନ୍ୟପକ୍ଷରେ ପୀୟୁଷ ସୋସିଆଲ୍ ସାଇଟ୍ ଜରିଆରେ ଦୁହିଁଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ବାର୍ତ୍ତା ।