fbpx

ଜୁଲାଇ ୮ ପର୍ଯ୍ୟନ୍ତ ସ୍ଥଗିତ ହେଲା ପିଏମଓର ସମସ୍ତ ବୈଠକ, ୨ ଦିନ ଭିତରେ ହୋଇପାରେ କ୍ୟାବିନେଟ୍ ବିସ୍ତାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର ପ୍ରକ୍ରିୟା ତୀବ୍ର ହୋଇଯାଇଛି । ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ହେବ ବୋଲି ସୁତ୍ରରୁ ପ୍ରକାଶ ପାଇଛି । ବିଶେଷ କଥା ହେଉଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମସ୍ତ ବୈଠକକୁ ଜୁଲାଇ ୮ ତାରିଖକୁ ସ୍ଥଗିତ ରଖାଯାଇଛି । ଏହା ସହିତ କ୍ୟାବିନେଟ୍ ରେ ସ୍ଥାନ ପାଇଥିବା ସମ୍ଭାବ୍ୟ ମନ୍ତ୍ରୀ ମାନଙ୍କୁ ଦିଲ୍ଲୀକୁ ନିମନ୍ତ୍ରଣ କରାଯାଇଛି । ତେବେ ଆଜି ମୋଦୀଙ୍କ ଆବାସରେ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନଙ୍କର ବୈଠକ ହେବାକୁ ଯାଉଛି ।

ଏହି ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରେଳମନ୍ତ୍ରୀ ପୀୟୁଷ ଗୋୟଲ, ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସାମିଲ ହେବେ ବୋଲି ସୂଚନା ମିଳିଛି । ୨୦୧୯ରେ ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ର ମନ୍ତ୍ରମଣ୍ଡଳରେ କୌଣସି ପ୍ରକାର ବିସ୍ତାର ହୋଇନାହିଁ । ଏହି ପରିପ୍ରେକ୍ଷୀରେ ରାଜନୈତିଜ୍ଞ ମାନଙ୍କ ସଂକେତ ଅନୁସାରେ ଏହି ସଂପ୍ରସାରଣରେ ବିହାରର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁକୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧି ମିଳିପାରେ । ସେହିପରି କଂଗ୍ରେସର ହାତ ଛାଡ଼ି ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ ମଧ୍ୟ କ୍ୟାବିନେଟ୍ ରେ ସାମିଲ କରାଯାଇପାରେ ।

୨୦୨୨ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୁଜୁରାଟ, ଗୋଆ, ମଣିପୁର, ପଞ୍ଜାବ ଏବଂ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଜେପି ମଧ୍ୟ ନିଜ ପଟରେ ଅଧିକକୁ ଅଧିକ ଭୋଟ ଏକାଠି କରିବାକୁ ଉଦ୍ୟମ ଆରମ୍ଭ କରିସାରିଲାଣି ।

Get real time updates directly on you device, subscribe now.