fbpx

ସରକାରୀ ମାଡାମ୍ ଙ୍କ ନାଚିବା ନିଶା, ମାନିଲେନି ନିୟମ

ମାଲକାନଗିରି(ଓଡ଼ିଶା ଭାସ୍କର): ପୁଣି ଜଣେ ସରକାରୀ ମାଡାମ୍ ଙ୍କ ଡ୍ୟାନ୍ସିଂ ଭିଡିଓ ଭାଇରାଲ୍ ହୋଇଛି । ମାଡାମ୍ ଜଣଙ୍କ ସବୁ ନିୟମକୁ ଫୁ’ କରି ନାଚ ନିଶାରେ ମସଗୁଲ ରହିଥିବା ଦେଖାଯାଉଛି । କାହାରି ମୁହଁରେ ନାହିଁ ମାସ୍କ, ସାମାଜିକ ଦୂରତା ତ ଦୂରକଥା, ହାତକୁ ହାତ ଯୋଡ଼ି ପାଦକୁ ପାଦ ତାଳ ପକାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ଭାଇରାଲ ହେଉଥିବା ଏହି ଭିଡିଓଟି ହେଉଛି ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଡ୍ୟାନସିଂ ଦୃଶ୍ୟ । କୋଭିଡ କଟକଣାର ଧଜିଆ ଉଡ଼ାଇ ବିନା ମାକ୍ସରେ ଏକାଧିକ ଲୋକଙ୍କୁ ଏକତ୍ରିତ କରି ଡ୍ୟାନ୍ସ କରିବାର ଭିଡିଓ ମୋବାଇଲରୁ ମୋବାଇଲ ଘୂରିବୁଲୁଛି । ଭିଡିଓଟି କେଉଁ ତାରିଖର ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କରୋନା କଟକଣା ମଧ୍ୟରେ ହିଁ ଏହି ଭିଡିଓ ଉତ୍ତୋଳନ ହୋଇଥିବା ସୂଚନା ମିଳିଛି । ଭିଡିଓ ଦେଖି ସ୍ପଷ୍ଟ ହେଉଛି ଯେ ତାହା ବାଲିମେଳାରେ ଥିବା ପୋଟେରୁ ଜଳସେଚନ ପ୍ରକଳ୍ପର ଅତିଥି ଭବନର ।

ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଅତିଥି ଭବନରେ ସରକାରୀ କର୍ମଚାରୀ କିଭଳି ନିୟମ କୁ ଉଲ୍ଲଂଘନ କରୁଛନ୍ତି ଏବଂ ଏଥିପ୍ରତି କାହାର ନିଘା ନାହିଁ? ଭିଡିଓରେ ସ୍ପଷ୍ଟ ବାରି ହୋଇପଡୁଛି ବିଇଓ ମ୍ୟାଡାମ୍ ନିଜ କର୍ମଚାରୀଙ୍କୁ ଭିଡ଼ିନେଇ ଖୁସିର ସହ ନାଚୁଛନ୍ତି । ଏହି ଘଟଣା ବିଷୟରେ ପ୍ରତିକ୍ରିୟା ନେବାପାଇଁ ଆମେ ଈଋଙ ସୁଶ୍ରୀ ଗାୟତ୍ରୀ ଦେବୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନଥିଲା । ଏଭଳି ନିୟମ ଉଲ୍ଲଂଘନ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ ନା ସରକାରୀ କର୍ମଚାରୀ ବୋଲି ଘଟଣାକୁ ଦବେଇ ଦିଆଯିବ ତାହା ସମୟ କହିବ ।

ଏଠାରେ ସୂଚନାଯୋଗ୍ୟ ଯେ କିଛିଦିନ ତଳେ ଯାଜପୁର ଜିଲ୍ଲାର ଜଣେ ମହିଳା ତହସିଲଦାର ଜଗତସିଂହପୁର ଜିଲ୍ଲାରେ ଖୁବ୍ ନାଚିଥିଲେ । ନିଜ ଭାଇର ବାହାଘରେ ମାଡାମ୍ ନିୟମ ଉଲ୍ଲଂଘନ କରି ନାଚୁଥିବା ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏପରିକି ପରିଣାମ ସ୍ୱରୂପ ତାଙ୍କୁ ସସ୍ପେଣ୍ଡ୍ ହେବାକୁ ପଡ଼ିଥିଲା ।

ଦେଖନ୍ତୁ ମାଡାମଙ୍କ ନାଚ ଦୃଶ୍ୟ:

Get real time updates directly on you device, subscribe now.