fbpx

e-RUPIର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟର ସମୟ ଆସୁଥିବା ବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଞ୍ଚ କରିଛନ୍ତି ଇ-ରୂପି । ଏନପିସିଆଇର ସହଯୋଗରେ ଭାରତ ସରକାରଙ୍କ ପକ୍ଷରୁ ଏହି ସେବା ଲଞ୍ଚ କରାଯାଇଛି । ଭାରତ ସରକାରଙ୍କ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏନଏଚଏ ସହଯୋଗରେ ଏହି ସେବାର ଲଞ୍ଚ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ପେମେଣ୍ଟ ଇ ରୂପିର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ହିତାଧୀକାରୀଙ୍କ ନିକଟକୁ ଡିରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ପଠାଯାଇଥାଏ । ଇ-ରୂପି ଦ୍ୱାରା ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଅଧିକ ସ୍ୱଚ୍ଛ ହୋଇ ପାରିବ ବୋଲି କୁହାଯାଇଛି । ଏହି ବ୍ୟବସ୍ଥାରେ ସରକାରଙ୍କ ପକ୍ଷରୁ କରାଯାଉଥିବା ବ୍ୟାଙ୍କ ଟ୍ରାନ୍ସଫର ବ୍ୟବସ୍ଥା ଦୁର୍ନୀତିମୁକ୍ତ ହୋଇପାରିବ ବୋଲି କୁହାଯାଇଛି ।

ଦେଶ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏଭଳି ବୈଷୟିକ କୌଶଳ ଆମ ପାଇଁ ଗର୍ବର ମୂହୂର୍ତ୍ତ ବୋଲି ମୋଦୀ କହିଛନ୍ତି । ଏକ ବିଂଶ ଶତାବ୍ଦୀରେ ଭାରତ ବୈଷୟିକ ଦିଗରେ କିଭଳି ସମୃଦ୍ଧି ହାସଲ କରିଛି ଏହା ତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ମୋଦୀ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଇ-ରୂପି ହେଉଛି ଏକ ଡିଜିଟାଲ ପେମେଣ୍ଟ ଯାହା କ୍୍ୟୁଆର କୋଡ ଅଥବା ଏସଏମଏସ ଷ୍ଟ୍ରିଙ୍ଗ ଭାଉଚର ମାଧ୍ୟମରେ ସିଧାସଳଖ ବ୍ୟବହାରକାରୀଙ୍କ ମୋବାଇଲକୁ ଯାଇଥାଏ । ଏହି କାର୍ଡକୁ ରିଡିମ୍ କରିବା ପାଇଁ ଓଟିପି ଆବଶ୍ୟକ ହେଉଥିବା ବେଳେ ଏହାକୁ ଡିଜିଟାଲ ପେମେଣ୍ଟ ଆପ୍ ଓ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ରିଡିମ୍ କରାଯାଇପାରିବ । ବିନା କୌଣସି ଫିଜିକାଲ ଇଣ୍ଟରଫେସରେ ଏହି ସେବାର ଲାଭ ଉଠାଇ ପାରିବେ ଗ୍ରାହକ । ବିଭିନ୍ନ ସରକାରୀ ଯୋଜନାରେ ଏହି ସେବା ଲାଗୁ କରାଯିବାକୁ ଥିବାରୁ ମଝିରେ ହେଉଥିବା ଦୁର୍ନୀତିକୁ ରୋକା ଯାଇପାରିବ ବୋଲି କୁହାଯାଇଛି । ଏହା ସହିତ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ରହିଥିବା ଯୋଜନା, ଟିବି ଦୂରୀକରଣ ଯୋଜଗନା, ଆୟୁଷ୍ମାନ ଭାରତ ଯୋଜନା, ସାର ସବସିଡି ପରି ସରକାରୀ ଯୋଜନାରେ ଏହାକୁ ସଠିକ ଢଙ୍ଗରେ ବ୍ୟବହାର କରାଯାଇପାରିବ । ନିକଟରେ କୋଭିଡ କାରଣରୁ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ୨୩ ଲକ୍ଷ ଉଠା ଦୋକାନୀଙ୍କୁ ୨୩ଶହ କୋଟିର ସହାୟତା ଏହି ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.